ପଞ୍ଚତନ୍ତ୍ର ଗଳ୍ପ

 

 

 

 

 

 

 

 

 

ପଞ୍ଚତନ୍ତ୍ର ଗଳ୍ପ

ଶ୍ରୀ କୃଷ୍ଣଚନ୍ଦ୍ର କର

 

ସୂଚୀପତ୍ର

 

୧.

ମୂଷୀର ବିଭା

୨.

ମେଳ ଛାଡ଼ିଲେ ମଲ

୩.

ମାକଡ଼ର ମୂର୍ଖବୁଦ୍ଧି

୪.

ବଗ ବାବାଜି

୫.

ଭାରଣ୍ଡ ପକ୍ଷୀର ମୁହଁ

୬.

ଖଚୁଆ ବଡ଼ ମିଛୁଆ

୭.

ଦୁଇ ରାକ୍ଷସଙ୍କ କଳି

୮.

ଚାରି ବନ୍ଧୁ

୯.

ଚୋର ଓ ଚଣ୍ଡାଳ

୧୦.

ରଜାପୁଅ ପେଟରେ ସାପ

୧୧.

ନେଳିଆ ରଜା

୧୨.

କୁସଙ୍ଗର ଫଳ

୧୩.

ଗଛଡାଳରେ ଢୋଲ

Image

 

ମୂଷୀର ବିଭା

 

ଗଙ୍ଗା ନଈକୂଳରେ ଜଣେ ଋଷି ଆଶ୍ରମ କରି ରହିଥିଲେ । ତାଙ୍କ ନାଆଁ ଯାଜ୍ଞବଳ୍‌କ୍ୟ । ସେ ଗଙ୍ଗାରେ ଗାଧୋଇବାବେଳେ ମନ୍ତ୍ରବୋଲି ନିତି ସୂର୍ଯ୍ୟଙ୍କୁ ପାଣିଦିଅନ୍ତି । ଦିନେ ଆଞ୍ଜୁଳିରେ ପାଣି ଭରି ସୂର୍ଯ୍ୟଙ୍କଆଡ଼କୁ ଚାହିଁଛନ୍ତି, ଏହି ସମୟରେ ଛୋଟିଆ ମାଈ ମୂଷାଟିଏ ଉପରୁ ଖସି ତାଙ୍କ ଆଞ୍ଜୁଳିରେ ପଡ଼ିଲା । ଯାଜ୍ଞବଳ୍‌କ୍ୟ ଉପରକୁ ଚାହିଁ ଜାଣିଲେ, ଶାଗୁଣାଟାଏ ଛୁଆ ମୂଷାଟିକୁ ନେଇ ଉଡ଼ି ଯାଉଥିଲାବେଳେ ମୂଷାଟି ତା’ ପଞ୍ଝାରୁ ଖସିପଡ଼ିଛି ।

 

ଋଷି ମୂଷୀକୁ ଗୋଟିଏ ଓସ୍ତପତ୍ରରେ ରଖିଦେଇ ପୁଣି ଗାଧୋଇଲେ । ସୂର୍ଯ୍ୟଙ୍କୁ ପାଣି ଦେଇସାରି ମୂଷି ପାଖକୁ ଅଇଲେ । ଛୋଟ ଜୀବଟିପ୍ରତି ତାଙ୍କର ବଡ଼ ଶ୍ରଦ୍ଧା ଆସିଲା । ସେ ନିଜ ତପସ୍ୟାବଳରେ ମୂଷୀକୁ ଟିକି ଝିଅଟିଏ କରିଦେଇ ତାକୁ ଦୁଇ ହାତରେ ଧରି ଆଶ୍ରମକୁ ଗଲେ ।

 

ଯାଜ୍ଞବଳ୍‌କ୍ୟଙ୍କର ପୁଅ ଓ ଝିଅ କିଛି ନଥିଲେ । ତାଙ୍କ ସ୍ତ୍ରୀ ଏହି ଛୁଆ ଝିଅକୁ ଦେଖି ପହିଲେ କିଛି ବୁଝିପାରିଲେ ନାହିଁ । ତହୁଁ ଋଷି ସମସ୍ତ ଘଟନା କହି ଝିଅଟିକୁ ତାଙ୍କ ହାତକୁ ବଢ଼ାଇଦେଲେ । ସେହି ଦିନୁଁ ଝିଅଟି ବଡ଼ ଆଦରରେ ବଢ଼ିବାକୁ ଲାଗିଲା । ସେ ଯାଜ୍ଞବଳ୍‌କ୍ୟଙ୍କୁ ବାପା ବୋଲି, ଆଉ ତାଙ୍କ ସ୍ତ୍ରୀଙ୍କୁ ମାଆ ବୋଲି ଡାକିଲା ।

 

ଝିଅଟିକୁ ବାରବର୍ଷ ହୋଇଯାନ୍ତେ ଋଷିଙ୍କ ସ୍ତ୍ରୀ ଦିନେ ସ୍ୱାମୀଙ୍କୁ କହିଲେ–

 

‘‘ଝିଅର ବିଭା ବୟସ ହୋଇଗଲା । ତା’ପାଇଁ ଗୋଟିଏ ଭଲ ବର ଠିକଣା କର । ଆଉ ଡେରି କରିବା ଉଚିତ ନୁହେଁ ।’’

 

Image

 

ଏବେ ଯାଜ୍ଞବଳ୍‌କ୍ୟ ପାତ୍ରଟିଏ ଖୋଜିବାକୁ ଲାଗିଲେ । ମାତ୍ର ଝିଅର ରୂପକୁ ଚାହିଁ ସେପରି ଯୋଗ୍ୟ ବର କେହି ଆଖିରେ ନ ପଡ଼ିବାରୁ ସେ ଦେବତାମାଙ୍କ ମଧ୍ୟରୁ ବରଟିଏ ବାଛିବାକୁ ଠିକ୍‌ କଲେ । ସୂର୍ଯ୍ୟଦେବଙ୍କୁ ଜୋଇଁ କଲେ ଭଲ ହେବ ବୋଲି ବିଚାରି ସ୍ତ୍ରୀଙ୍କୁ ତାହା ଜଣାଇଲେ । କଥାଟି ସ୍ତ୍ରୀଙ୍କ ମନକୁ ମଧ୍ୟ ବେଶ୍‌ ପାଇଲା ।

 

ତହୁଁ ଯାଜ୍ଞବଳ୍‌କ୍ୟ ସୂର୍ଯ୍ୟଙ୍କୁ ସୁମରଣା କଲେ । ସୂର୍ଯ୍ୟ ତାହା ଜାଣିପାରି ଋଷିଙ୍କ ଆଶ୍ରମରେ ଆସି ପହଞ୍ଚିଲେ । ବାପ ମାଆ ସିନା ବର ଠିକ୍‌ କରିବେ କିନ୍ତୁ ବର ଯଦି ଝିଅର ମନଲାଖି ନହୁଏ, ତାହାହେଲେ ବିଭାଗର ହେବ କିପରି ? ତେଣୁ ଋଷି ଝିଅକୁ ଡାକି କହିଲେ–

 

‘‘ମା’, ଏଇ ହେଉଛନ୍ତି ସୂର୍ଯ୍ୟଦେବତା । ୟାଙ୍କର ତେଜରେ ପୃଥିବୀ ଏତେ ସୁନ୍ଦର ହୋଇ ଝଟକିଉଠୁଛି । ମୁଁ ଏହାଙ୍କୁ ଜୋଇଁ କରିବ ବୋଲି ବିଚାରିଛି । ଏବେ ଭାବିଚିନ୍ତି କହ, ତୁ ସୂର୍ଯ୍ୟଦେବଙ୍କୁ ପସନ୍ଦ କରୁଛୁ ତ ?’’

 

ଏହା ଶୁଣି ଝିଅ ଉତ୍ତର ଦେଲା–

 

‘‘ବଡ଼ ଭୟଙ୍କର ରୂପ ଏହାଙ୍କର

ଅଗ୍ନିଦେବଠାରୁ ବଳି,

ରହି ୟାଙ୍କ ତୁଲେ ଦିନଟିଏ ହେଲେ

ପାରିବି ନାହିଁ ମୁଁ ଚଳି ।

ମନଲାଖି ମୋର ଆଣ ଆନ ବର,

ଦିଅ ମତେ ତାଙ୍କ ହାତେ,

କହୁଛି ଫିଟାଇ, ସୂର୍ଯ୍ୟଦେବେ ମୁହିଁ

ରାଜି ନୁହେଁ କଦାଚିତେ ।’’

 

ଝିଅ ମୁହଁରୁ ଏଭଳି ଉତ୍ତର ଶୁଣି ଯାଜ୍ଞବଳ୍‌କ୍ୟ ତା’ର ମନକଥା ବୁଝିପାରିଲେ । ତହୁଁ ସେ ସୂର୍ଯ୍ୟଙ୍କୁ ବୁଝାଇଶୁଝାଇ କହିଲେ–

 

‘‘ସୂର୍ଯ୍ୟଦେବ ! ତୁମର ତେଜୀ ରୂପ ଦେଖି ମୋ ଝିଅ ଡରିଯାଉଛି; ତେଣୁ ତୁମକୁ ବିଭା ହେବାପାଇଁ ରାଜି ହେଉନାହିଁ ଏବେ ତୁମେ ତା’ଲାଗି ଯୋଗ୍ୟ ବରଟିଏ ଠିକ୍‌ କରିଦିଅ ।’’

 

ସୂର୍ଯ୍ୟଦେବ ଟିକିଏ ଭାବି କହିଲେ–

 

‘‘ମୋ ବିଚାରରେ ମେଘଦେବତା ଆପଣଙ୍କ ଝିଅର ବର ହେବାକୁ ଠିକ୍‌ ଯୋଗ୍ୟ ହେବେ । ସେ ମୋ’ପରି ତେଜୀ ନୁହନ୍ତି, ତାଙ୍କ ରୂପଟି ବଡ଼ ଚିକ୍‌କଣ । ସେ ଅନେକ ସମୟରେ ମୋତେ ଘୋଡ଼ାଇପକାନ୍ତି । ସେତେବେଳେ ମୋ ରୂପ ଲୁଚିଯାଏ । ଏଣୁ ସେ ମୋ’ଠାରୁ ବଡ଼ । ମୋର ବିଶ୍ୱାସ, ଆପଣଙ୍କ ଝିଅ ତାଙ୍କୁ ପସନ୍ଦ କରିବେ ।’’

 

ଡାକରା ପାଇ ମେଘ ଆସି ପହଞ୍ଚିଲେ । ତାଙ୍କୁ ମଧ୍ୟ ଝିଅ ନାପସନ୍ଦ କରି କହିଲା–

 

‘‘କଳା କିଟିକିଟି ୟାଙ୍କ ରୂପ ଗୋଟି

ଦେଖିଲେ ମାଡ଼ଇ ଘିନା,

ଶୁଣି ୟାଙ୍କ ରଡ଼ି ଜୀବ ଯାଏ ଛାଡ଼ି,

ଅଯୋଗ୍ୟ ମତେ ଏ ସିନା ।’’

 

ଋଷି ବଡ଼ ବ୍ୟସ୍ତ ହୋଇଯାଇ ଭଲ ବରଟିଏ ବାଛିଦେବାପାଇଁ ମେଘଦେବତାଙ୍କୁ ଅନୁରୋଧ କଲେ । ମେଘ କିଛି ସମୟ ଭାବି କହିଲେ–

 

‘‘ବାୟୁଦେବତା ମୋ’ଠାରୁ ଢେର୍‌ ଭଲ ପାତ୍ର । ତାଙ୍କର ବଳ ମୋର ବଳ ଅପେକ୍ଷା ବହୁତ ବେଶୀ । ସେ ଇଚ୍ଛା କଲେ ମତେ ଅନେକ ଦୂରକୁ ଉଡ଼େଇ ଦେଇପାରନ୍ତି । ଏଭଳି ଯୋଗ୍ୟ ସ୍ୱାମୀ ପାଇଲେ ଆପଣଙ୍କ ଝିଅ ନିଶ୍ଚୟ ସୁଖୀ ହେବେ ।’’

 

ବାୟୁ ଡାକରା ପାଇ ଆଶ୍ରମରେ ଆସି ପହଞ୍ଚିଲେ । ତାଙ୍କ ବିଷୟରେ ଝିଅର ମତ ପଚାରିବାରୁ ଝିଅ କହିଲା–

 

ଲୋଡ଼ା ନାହିଁ ମୋର ଏଭଳିଆ ବର,

ଏ ଯେ ଚଗଲାଙ୍କ ଗୁରୁ,

ମାଡ଼ିବି ନ ଲବେ ୟାଙ୍କ ପାଶ କେବେ,

ଜୁହାର ହେଉଛି ଦୂରୁଁ ।’’

 

ମହା ଅଡ଼ୁଆ କଥା ! ଝିଅମନକୁ କେହି ଅଇଲେ ନାହିଁ, ଏବେ ତା’ ପସନ୍ଦ ମୁତାବକ କେଉଁଠୁ ବରଟିଏ ଆସିବ ? ଯାହା ହେଉ, ଯାଜ୍ଞବଳ୍‌କ୍ୟ ବାୟୁଦେବତାଙ୍କୁ ପଚାରିଲେ ।

 

‘‘ଥରେ ଭଲକରି ବିଚାରି କୁହ, ଆଉ କିଏ ଏପରି ଅଛି, ଯେ କି ମୋ ଝିଅର ହାତ ଧରିବାକୁ ଯୋଗ୍ୟ ହେବ ।

 

ବାୟୁଦେବତା ମନେ ମନେ ଅନେକଆଡ଼େ ଆଖି ବୁଲାଇଲେ । ବହୁତ ମୁଣ୍ଡ ଖେଳାଇ ଶେଷରେ କହିଲେ–

 

‘‘ମୁଁ ଯେଡ଼େ ବଳୁଆ ହେଲେହେଁ ମୋ’ଠାରୁ ଆହୁରି ଜଣେ ବଡ଼ ଅଛନ୍ତି । ସେ ହେଉଛନ୍ତି ପର୍ବତ । ମୁଁ ରାଗିଗଲେ ଚାରିଆଡ଼େ ଝଡ଼ତୋଫାନ ବୁହାଇ ସମସ୍ତଙ୍କୁ ଦୋହଲାଇ ପକାଏଁ । ସବୁରି ମୁଣ୍ଡ ମୋ ପାଖରେ ନଇଁଯାଏ; କିନ୍ତୁ ଏକା ପର୍ବତ ମୁଣ୍ଡ ନୁଆନ୍ତି ନାହିଁ । ମୋ ଧକ୍‌କାରେ ଟିକିଏ ସୁଦ୍ଧା ହଲି ନଯାଇ ସେ ମୁଣ୍ଡ ଟେକି ଅଚଳ ରହନ୍ତି । ଏଭଳି ଯୋଗ୍ୟ ବର ଆପଣଙ୍କ ଝିଅପାଇଁ ଆଉ କେଉଁଠି ମିଳିବ ?’’

ଋଷି ଏବେ ପର୍ବତଙ୍କୁ ଡାକିବାରୁ ସେ ଆସିଲେ । ତାଙ୍କୁ ଦେଖି ଝିଅ ନାକଟେକି କହିଲା-:–

‘‘ଫିଟେ ନାହିଁ ତୁଣ୍ଡ, ନିତାନ୍ତ ଏ ଗଣ୍ଡ,

ସରିଛନ୍ତି ଟାଣପଣେ,

ମୋ ଗୁଣକୁ ସରି ହେବେ ଏ କିପରି

ବିଚାର ବାପା ହେ, ମନେ ।’’

ଋଷିଙ୍କର ଚିନ୍ତା ବେଳକୁ ବେଳ ବଢ଼ିଲା । ସେ ବ୍ୟସ୍ତ ହୋଇଯାଇ ପର୍ବତଙ୍କୁ ପଚାରିଲେ-:–

‘‘ତୁମଠାରୁ ଆହୁରି ଯୋଗ୍ୟ କ’ଣ କେହି ନାହାନ୍ତି ? କିଏ ବର ହେଲେ ମୋ ଝିଅ ସାଙ୍ଗକୁ ଗୋଟିପଣେ ମାନିବ ଏବେ ମତେ କୁହ ।’’

ପର୍ବତ ଭାବି ଭାବି ଜଣଙ୍କର ନାଁଆଁ କହିଲେ–

‘‘ମୋଠୁ ଆହୁରି ଯୋଗ୍ୟ ବର ଜଣେ ମାତ୍ର ଅଛି । ସେ ହେଉଛି ମୂଷା । ଦେଖିବାକୁ ନିହାତି ଛୋଟ ହେଲେ କ’ଣ ହେବ, ତା’ର ଜୋର୍‌ କହିଲେ ନ ସରେ । ମୋ ଦେହକୁ ତାଡ଼ି ସେ ଗାତ କରିପକାଏ । ଏଡ଼େ ସାହସ ଆଉ କାହାର ଅଛି ବୋଲି ଜଣାଯାଏ ନାହିଁ । ଯଦି ମନକୁ ପାଉଛି, ଆପଣ ତାକୁ ଜୋଇଁ କରନ୍ତୁ ।’’

ମୂଷା ନାଆଁ ଶୁଣି ଋଷି ପହିଲେ ଟିକିଏ ଥତମତ ହେଲେ । ତା’ପରେ ମୂଷାକୁ ଡାକିପଠାଇବାରୁ ସେ ଆସିଲା । ତାକୁ ଦେଖାଇ ଦେଇ ଋଷି ଝିଅକୁ ପଚାରିଲେ–

‘‘ମା’, ଏ ହେଉଛନ୍ତି ମୂଷାଙ୍କ ରଜା । ଏହାଙ୍କୁ ଯଦି ପସନ୍ଦ କରୁ, ତାହାହେଲେ କହ ।’’

ମୂଷାଟିକୁ ଦେଖିଲାମାତ୍ରେ ଝିଅର ମନ ଆନନ୍ଦରେ ନାଚିଉଠିଲା । ମୂଷାର ରୂପଟି ତା’ ଆଖିକି ସୁନ୍ଦର ଦିଶିଲା ଯେ, ସାଙ୍ଗେ ସାଙ୍ଗେ ସେ କହିଲା–

‘‘ମନମାଫି ବର ଆଣିଲ ଏଥର

ମତେ ଏକା ଯୋଗ୍ୟ ଏହି,

ଯିବ ମୋର ଦିନ ସୁଖେ ବାପା, ଜାଣ

ଏହାଙ୍କ ପାଖରେ ରହି ।’’

 

ଝିଅର ଏଭଳି ପସନ୍ଦ ଦେଖି ଯାଜ୍ଞବଳ୍‌କ୍ୟ କାବା ହୋଇଗଲେ । ସେ ଏବେ ନିଜର ତପସ୍ୟାବଳରେ ଝିଅକୁ ମୂଷୀଟିଏ କରିଦେଲେ । ତା’ପରେ ମୂଷା ସହିତ ମୂଷୀର ବିଭାଘର ବଢ଼ିଗଲା । ମୂଷା-ମୂଷୀ ଆଶ୍ରମରୁ ବିଦାୟ ନେଇ ମନଖୁସିରେ ଚାଲିଗଲେ ।

 

ଏବେ ଯାଜ୍ଞବଳ୍‌କ୍ୟ ତାଙ୍କ ସ୍ତ୍ରୀଙ୍କୁ କହିଲେ–

 

‘‘ଦେଖିଲେ କାହାକୁ ପ୍ରାଣୀ ଏକା ରକତର

ଅଜାଣତେ ଏହିପରି କରେ ଆପଣାର ।’’

Image

 

ମେଳ ଛାଡ଼ିଲେ ମଲ

 

ଗୋଟିଏ ଜଙ୍ଗଲରେ ସିଂହ ରାଜୁତି କରୁଥିଲା । କୁଆ, ବିଲୁଆ, ବାଘ, ଏଇ ତିନିଜଣଙ୍କୁ ଯେ ମନ୍ତ୍ରୀ କରି ରଖିଥିଲା । ସେମାନଙ୍କୁ ନ ପଚାରି ସିଂହ କୌଣସି କାମ କରୁନଥିଲା । ମନ୍ତ୍ରୀମାନେ ଯେତେବେଳେ ଯାହା ପରାମର୍ଶ ଦିଅନ୍ତି, ସେ ତାହା ମାନେ ।

 

ଥରେ ଦଳେ ବେପାରୀ ସେହି ଜଙ୍ଗଲ ବାଟ ଦେଇ ନିଜ ଦେଶକୁ ଫେରୁଥିଲେ । ବେପାରୀମାନେ ଘୋଡ଼ାରେ ବସିଥାନ୍ତି, ଆଉ ସେମାନଙ୍କର ମାଲମତା କେତୋଟି ଓଟଙ୍କ ପିଠିରେ ଲଦା ହୋଇଥାଏ । ବାଟରେ ଗୋଟାଏ ଓଟ ରୋଗା ହୋଇଯାଇଥିଲା । ତେଣୁ ସେ ମାଲ ବୋହିନପାରି ଅନ୍ୟ ଓଟମାନଙ୍କ ସାଙ୍ଗରେ ଖାଲି ଖାଲି ଆସୁଥିଲା ।

 

ରୋଗୀ ଆଉ ଦୁର୍ବଳ ହୋଇଥିବାରୁ ସେହି ଓଟଟି ସାଥୀ ଓଟମାନଙ୍କ ପରି ଚଞ୍ଚଳ ଚାଲି ନପାରି ସେମାନଙ୍କଠାରୁ ପଛରେ ପଡ଼ିଗଲା । ଏଥିଭିତରେ ବେପାରୀ ଦଳ ଜଙ୍ଗଲ ପାରିହୋଇ ଚାଲିଗଲେ । ବିଚରା ଓଟଟି ବାଟବଣା ହୋଇଯାଇ ଏଣେତେଣେ ବୁଲିଲା । ଯେତେ ଚେଷ୍ଟାକଲା, ଜଙ୍ଗଲରୁ ବାହାରିବାର ବାଟ ପାଇଲା ନାହିଁ ।

 

ଓଟ ଘାସପତ୍ର ଖାଇ ବୁଲୁ ବୁଲୁ ଦିନେ ଗୋଟାଏ ଗୁହା ପାଖରେ ପହଞ୍ଚିଲା । ସିଂହରଜା ସେଇ ଗୁହାରେ ବସିଥିଲା । ମନ୍ତ୍ରୀ ତିନିହେଁ ତା’ ଆଗରେ ଠିଆ ହୋଇଥିଲେ । ଓଟ ଉପରେ ହଠାତ୍‌ ସିଂହର ଦୃଷ୍ଟି ପଡ଼ିଗଲା । ସେତେବେଳେ ସିଂହର ପେଟ ଭରା ଥିବାରୁ ଶିକାରପ୍ରତି ଆଶା ନଥିଲା । ତେଣୁ ସେ ଓଟକୁ ଡାକି ପଚାରିଲା ।

 

‘‘ତୁ କିଏ ? କାହିଁକି ମୋ ପାଖକୁ ଆସିଛୁ ?’’

 

ସିଂହର ଏ ପ୍ରଶ୍ନ ଶୁଣି ଭୟରେ ଓଟ ଥରିଉଠିଲା । ମାତ୍ର ତା’ ମୁଣ୍ଡରେ ବୁଦ୍ଧି ଥିଲା । ଛାତି ଦମ୍ଭକରି ସେ ମୁଣ୍ଡ ନୁଆଁଇଁ ଉତ୍ତର ଦେଲା–

 

‘‘ଘେନ

ପଶୁରାଜ ! ମୋର ଜୁହାର

ଛାର

ପ୍ରାଣୀ ମୁହିଁ ଦୂର ଗାଆଁର ।

ଲୋକେ

ପ୍ରଶଂସା କରନ୍ତି ତୁମରି ।

ତୁମ

ଦୟା ଗୁଣ ନିତି ସୁମରି ।

କେତେ

ସେବକ ରଖିଛ ରାଜନ !

ମୁଁ କି

ହୋଇବି ତହିଁକି ଭାଜନ ?

ଥରେ

ଦୟା ଯେବେ ତୁମେ କରିବ,

ଧନ୍ୟ

ହେବ ସେବାକରି ଗରିବ ।

ତୁମ

ପାଦରେ ଏତିକି ଗୁହାରି,

ଆଶା

ପୂରାଅ ଭୋ ଦେବ ! ମୋହରି ।’’

 

Image

 

ଓଟ ମୁହଁରୁ ନିଜର ଏତେ ପ୍ରଶଂସା ଶୁଣି ସିଂହ ଗର୍ବରେ ଫୁଲିଗଲା । ତାକୁ ହସି ହସି କହିଲା–

 

‘‘ତୁମଉପରେ ମୁଁ ଭାରି ଖୁସି ହେଲି । ତୁମକୁ ସେବାକାରୀ କରି କାମରେ ଖଟେଇବାକୁ ମୋର ଇଚ୍ଛା ନୁହେଁ । ଆଜିଠାରୁ ମୋର ବନ୍ଧୁ ହୋଇ ତୁମେ ମୋ ପାଖରେ ରହ । କେହି ତୁମର କିଛି ଅନିଷ୍ଟ କରିପାରିବ ନାହିଁ । ମନଇଚ୍ଛା ତୁମେ ଏ ଜଙ୍ଗଲରେ ବୁଲି ସୁଖରେ ଦିନ କଟାଅ ।’’

 

ବେପାରୀଙ୍କ ବୋଝ ବୋହି ବୋହି ଓଟର ଅଣ୍ଟା ପିଠି ଲାଗିଯାଉଥିଲା । ସେଥିରେ ପୁଣି ପେଟପୂରା ଆହାର ସବୁଦିନେ ମିଳୁନଥିଲା । ମାତ୍ର ଏଠାରେ କିଛି କାମ ନାହିଁ । ନିଦକରେ ଚାରିଆଡ଼େ ବୁଲି କଅଁଳିଆ କଅଁଳିଆ ଘାସପତ୍ର ଢେର୍‌ ଖାଇବାକୁ ମିଳିଲା । ସିଂହରାଜାର ଖାତିରିରେ କେହି ତାକୁ ପାଟି ଫିଟେଇବାକୁ ବି ସାହସ କରୁନାହାନ୍ତି । ଏହାଠାରୁ ବଳି ସୁଖ ତା’ ଜୀବନରେ ଆଉ କ’ଣ ହୋଇପାରେ । ଓଟ ଖୁବ୍‌ ନିଶ୍ଚିନ୍ତରେ ସେଠି କିଛି କାଳ କଟେଇଲା ।

 

ଦିନେ ଗୋଟାଏ ମତୁଆଲା ଦନ୍ତା ହାତୀ ସହିତ ଅନେକ ବେଳଯାଏଁ ସିଂହର ଲଢ଼େଇ ହେଲା । ସିଂହ ତାକୁ ମାରି ଜିଣିଲା ସତ, କିନ୍ତୁ ଦନ୍ତା ହାତୀ ଏଡ଼େ ଜୋରରେ ସିଂହର ଗୋଡ଼କୁ ବିନ୍ଧିଦେଲା ଯେ, ସେଇଥିରେ ସିଂହ ଲଙ୍ଗଡ଼ା ହୋଇଯାଇ କିଛିଦିନ ଗୁହାରେ ପଡ଼ିରହିଲା । କେଉଁ ଆଡ଼କୁ ଯାଇ ନ ପାରିବାରୁ ସିଂହକୁ ଆଉ ଆହାର ଜୁଟିଲା ନାହିଁ । ତାକୁ ଭୋକ ବଡ଼ ବାଧିଲା । ଦିନକୁ ଦିନ ତା’ ଦେହରୁ ବଳ କମିଗଲା ।

 

ସିଂହ ଶିକାର କରି ମାଂସ ଆଣୁଥିଲା ବୋଲି କୁଆ ଆଉ ବିଲୁଆ ସେଇଥିରୁ ପେଟେ ପେଟେ ଖାଇଯାଉଥିଲେ । ଏବେ ତାହା ବନ୍ଦ ହୋଇଯିବାରୁ ସେଦୁହେଁ ଭୋକ ଉପାସରେ ଛଟପଟ ହେବାକୁ ଲାଗିଲେ । ତେଣେ ଓଟ ମନଇଚ୍ଛା ଚରା ଖାଇ ବେଶ୍‌ ମୋଟେଇଲା ।

 

ଓଟର ସୁଖ ଦେଖି କୁଆ ଓ ବିଲୁଆର ଭାରି ହିଂସା ହେଲା । ଦୁହେଁ ଯାଇ ତା’ ନାଆଁରେ ସତମିଛ ଲଗେଇ ସିଂହକୁ କହିଲେ । ସିଂହ ଓଟକୁ ଏତେ ଭଲ ପାଉଥିଲା ଯେ, ଦୁଇ ମନ୍ତ୍ରୀଙ୍କ କଥାକୁ ମୋଟେ ଶୁଣିଲା ନାହିଁ ।

 

ପୁଣି ଦିନେ ସେଦୁହେଁ ବିଚରାବିଚରି ହୋଇ ସିଂହକୁ ଅନ୍ୟ ବାଗରେ କହିଲେ–

 

‘‘ମହାରାଜ ତୁମେ ଅସୁସ୍ଥ ହୋଇ ଭୋକରେ ଏ ଗୁହାରେ ପଡ଼ିରହିଛି, ଅଥଚ ତୁମର ବନ୍ଧୁ ହୋଇ ଓଟ ମହାମଉଜରେ ଖାଇପିଇ ବୁଲୁଛି । ଏହା କ’ଣ ତା’ ପକ୍ଷରେ ଉଚିତ ହେଉଛି ? ସେ ଯଦି ପ୍ରକୃତରେ ବନ୍ଧୁ ହୋଇଥାନ୍ତା, ତାହାହେଲେ ତୁମର ଭୋକ ଆଉ ଦୁର୍ବଳ ଅବସ୍ଥା ଦେଖି କେବେହେଁ ସମ୍ଭାଳିପାରନ୍ତା ନାହିଁ । ନିଜ ଦେହର ମାଂସକୁ ଛାଏଁ ତୁମ ପାଖରେ ସମ୍ପିଦିଅନ୍ତା ।’’

 

ଏହା ଶୁଣି ସିଂହ କହିଲା–

 

‘‘ମାଂସ ହେଲା ମୋର ଆହାର । ମତେ ତାହା ନ ମିଳିବାରୁ ମୁଁ ଓପାସ ରହିଛି । ମାତ୍ର ଓଟର ତ ଘାସପତ୍ର ଆହାର, ସେ ତାହା ଖାଇଲେ ଦୋଷ କ’ଣ ହେଲା ? ତା’ପରେ ତୁମେ କହୁଛ, ମୁଁ ଓଟର ମାଂସ ଖାଇବି । ସେ ମୋର ବନ୍ଧୁ । ବନ୍ଧୁ ଦେହର ମାଂସ କେବେ କି ଖିଆଯାଇପାରେ ? ଏଡ଼େ ବଡ଼ ପାପକଥା କିପରି ତୁମ ତୁଣ୍ଡକୁ ଆସୁଛି ?’’

 

କୁଆ ଆଉ ବିଲୁଆ ନାଚାର ହୋଇ ସିଂହପାଖରୁ ଚାଲିଗଲେ । ବାଘଗୁହାରେ ପହଞ୍ଚି ତା’ ସହିତ କଥାବାର୍ତ୍ତା କଲେ । ବାଘ ସେଦୁହିଁଙ୍କ କଥାରେ ଭୁଲିଗଲା । ସନ୍ଧ୍ୟା ହେଲାରୁ ତିନି ମନ୍ତ୍ରୀଯାକ ଏକାଠି ହୋଇ ସିଂହପାଖରେ ପହଞ୍ଚିଲେ । ଓଟ ମଧ୍ୟ ସେହି ସମୟରେ ସେଠାକୁ ଆସିଲା ।

 

ବିଲୁଆ ମନରେ ଛନ୍ଦ ରଖି ହାତ ଯୋଡ଼ି ପହିଲେ କହିବାକୁ ଆରମ୍ଭ କଲା–

 

‘‘ମହାରାଜ ! ମୁଁ ଆଉ ତୁମର ଦୁଃଖ ଆଖିରେ ଦେଖିପାରିବି ନାହିଁ । ତୁମେ ବଞ୍ଚିଥିଲେ ମୋ’ପରି କେତେ ମନ୍ତ୍ରୀ ପାଇବ । ମାତ୍ର ତୁମପରି ରାଜା ମୁଁ ପାଇବି କେଉଁଠୁ ? ତେଣୁ ଆଜି ମୋର ମାଂସଖାଇ ଭୋକରୁ ରକ୍ଷା ପାଅ ।’’

 

ଏହା ଶୁଣି କୁଆ କହିଲା–

 

‘‘ନା ଭାଇ, ତାହା ହେବ ନାହିଁ । ତୁମେ ଥିଲେ ମହାରାଜାଙ୍କର ବହୁତ କାମରେ ଆସିବ-। ତେଣୁ ମତେ ଆଜି ସେ ଆହାର କରନ୍ତୁ ।’’

 

ଏବେ ବାଘ ସେ ଦୁହିଁଙ୍କୁ ଚାହିଁ କହିଲା–

 

‘‘ତୁମ ଦୁଇଜଣଯାକଙ୍କର ମାଂସ ଏକାଠି ହେଲେ ବି ମହାରାଜାଙ୍କ ପେଟର ଗୋଟାଏ କଣକୁ ଅଣ୍ଟିବ ନାହିଁ । ତେଣୁ ମୋରି ମାଂସରେ ମହାରାଜା ଆଜି ମଣୋହି କରନ୍ତୁ ।’’

 

ଓଟ ମନ୍ତ୍ରୀମାନଙ୍କ କପଟ ବୁଝିପାରିଲା ନାହିଁ । ସେମାନେ ପ୍ରକୃତରେ ସିଂହର ଦୁଃଖ ସହିନପାରି ଏପରି କହୁଛନ୍ତି ବୋଲି ଓଟ ଭାବିଲା । ଏଭଳି ଅବସ୍ଥାରେ ସେ ବା କିପରି ଚୁପ୍‌ ରହିବ-। ସେ ଜାଣେ, ନିଜେ ଯାଚି ହେଲେ ବି ସିଂହ କଦାପି ତା’ର ମାଂସ ଖାଇବାକୁ ରାଜି ହେବନାହିଁ । ତାହାହେଲେ ପଦେ କହିଦେଲେ କ୍ଷତି କ’ଣ ? ଓଟ ଏହା ବିଚାରି ସିଂହକୁ କହିଲା–

 

‘‘ମହାରାଜ ! ତୁମରି ସେବାକରି ଜୀବନ କଟାଇବି ବୋଲି ପହିଲେ ତୁମ ପାଖକୁ ଆସିଥିଲି । ଏବେ ଏ ଦେହକୁ ତୁମରି ଆହାରପାଇଁ ସମ୍ପିଦେଉଛି ।’’

 

ବିଲୁଆ ଏହି ସମୟରେ ବାଘକୁ ଆଖି ଠାରିଦେଲା । ବାଘ ଚାହୁଁ ଚାହୁଁ ଓଟଉପରକୁ କୁଦିପଡ଼ି ତାକୁ ଚିରି ବିଦାରି ଖଣ୍ଡଖଣ୍ଡ କରିପକାଇଲା । ତା’ପରେ ସମସ୍ତେ ମିଶି ତାକୁ ଖାଇଲେ ।

 

ଆପଣା ମେଳ ଛାଡ଼ି ହିଂସୁକମାନଙ୍କ ମେଳରେ ରହିଲେ ଶେଷରେ ଏହିପରି ଦଶା ଭୋଗିବାକୁ ପଡ଼େ । ଓଟ ଯଦି ତା’ ସାଥୀମାନଙ୍କ ମେଳରେ ରହିଥାନ୍ତା, ତେବେ ସେ କାହିଁକି ମରିଥାନ୍ତା ?

Image

 

ମାକଡ଼ର ମୂର୍ଖବୁଦ୍ଧି

 

ପୂର୍ବକାଳରେ ଜଣେ ରଜା ଥିଲେ । ସେ ଭାରି ସୁଖଶାନ୍ତିରେ ପ୍ରଜାମାନଙ୍କୁ ପାଳୁଥିଲେ । ସାରା ରାଜ୍ୟର ଲୋକେ ଖାଇପିଇ ମହାଖୁସିରେ ଦିନ କାଟୁଥିଲେ । କେହି ନିଜର ହାରିଗୁହାରି ରଜାଙ୍କୁ ଯାଇ ଜଣାଇଲେ ରଜା ସାଙ୍ଗେ ସାଙ୍ଗେ ତାହା ବୁଝନ୍ତି । ଭୋକୀ ଭିକାରି ତାଙ୍କ ନଅରରୁ କେବେହେଲେ ନିରାଶରେ ଫେରନ୍ତି ନାହିଁ ।

 

ରଜାଙ୍କ ଭଣ୍ଡାରଘର ସବୁବେଳେ ଖୋଲା ରହିଥାଏ । ଯେ ଯେତେବେଳେ ଯାହା ମାଗେ, ସେ ସେତେବେଳେ ତାହାପାଏ । ଦୁଃଖ କଷ୍ଟ କ’ଣ, କେହି କେବେ ସେ ରାଜ୍ୟରେ ଜାଣୁନଥିଲା । ଏହିସବୁ କାରଣରୁ ସମସ୍ତଙ୍କ ତୁଣ୍ଡରୁ ରାଜାଙ୍କର ପ୍ରଶଂସା ଶୁଣାଯାଉଥିଲା ।

 

ରଜାଙ୍କ ଉଆସରେ ଶହ ଶହ ଚାକର ଚାକରାଣୀ ଥାଆନ୍ତି । ସେମାନେ ରାତିଦିନ ଯେଝା କାମରେ ଲାଗିଥାନ୍ତି । ରଜା ଓ ରାଣୀଙ୍କ ଦରକାର ଅନୁସାରେ ସେମାନେ ଠିକ୍‌ ସମୟରେ ସବୁ ଜିନିଷ ଖଞ୍ଜାଇ ରଖିଥାନ୍ତି । ସେହିମାନଙ୍କ ଯୋଗେ ଉଆସର କାମ ଭାରି ସୁରୁଖୁରୁରେ ହେଉଥାଏ । ରଜାଙ୍କୁ କେବେହେଲେ କୌଣସି ଚାକର ବା ଚାକରାଣୀ ଉପରେ ବିରକ୍ତ ହେବାକୁ ପଡ଼ୁନଥିଲା ।

 

ମଣିଷ-ଚାକରଙ୍କ ସହିତ ଉଆସ ଭିତରେ ଗୋଟିଏ ମାକଡ଼-ଚାକର ଥାଏ । ତାକୁ ରଜା ନିଜେ ପାଳି ବହୁତ କାମ ଶିଖାଇଥିଲେ । ମାକଡ଼ଟି ଛାଇ ଭଳି ରଜାଙ୍କ ପାଖେ ପାଖେ ରହିଥାଏ । ଆଉ ସବୁ ଚାକରଙ୍କୁ କେତେବେଳେ ହେଲେ ଟିକିଏ ତର ମିଳେ, ମାତ୍ର ମାକଡ଼ ସବୁବେଳେ ରଜାଙ୍କ ସେବାରେ ଖଟି ରହିଥାଏ । କିଛି କାମ ନ ଥିଲାବେଳେ ସେ ରଜାଙ୍କୁ ଜଗି ବସିରହେ ।

 

ରଜା ସେଇ ମାକଡ଼ଟିକୁ ଏତେ ସୁଖ ପାଆନ୍ତି ଯେ କହି ହେବନାହିଁ । ଫୁର୍ତ୍ତି ଆଉ ଚଞ୍ଜଳପଣରେ ମାକଡ଼ ସବୁ ଚାକରଙ୍କୁ ଟପିଯାଇଥାଏ । ରଜା ପାଣି ପିଇବାକୁ ମନକଲେ ସେ ରୁପା ଗିଲାସଟିଏ ଧରି ପବନ ପରି ଛୁଟିଯାଏ । ସୁନା କଳସୀରୁ ଗିଲାସେ ଥଣ୍ଡାପାଣି ଗଡ଼େଇଆଣି ଆଖିପିଛୁଳାକେ ଆସି ରଜାଙ୍କ ହାତକୁ ବଢ଼ାଇଦିଏ । ରଜା ପଲଙ୍କରେ ପହୁଡ଼ିଲେ ମାକଡ଼ ପାଖରେ ବସି ପଙ୍ଖା କରେ । ରଜା ମଣୋହି ସାରି ଶେଯରେ ଗଡ଼ିଥିଲାବେଳେ ତାଙ୍କ ପାଦ ମଚାଳିଦିଏ । ମୋଟ ଉପରେ ମାକଡ଼ଟି ରଜାଙ୍କର ଦେହ-ଜଗୁଆଳ ହୋଇ ରହିଥାଏ । ସେଥିପାଇଁ ରଜା ହାତୀରେ ଚଢ଼ି କେବେ କୁଆଡ଼କୁ ବୁଲି ବାହାରିଲେ ମାକଡ଼ ବି ତାଙ୍କ ସାଙ୍ଗେ ସାଙ୍ଗେ ଯାଏ ।

 

ରଜାଙ୍କର ଜଣେ ବୁଢ଼ା ମନ୍ତ୍ରୀ ଥାଆନ୍ତି । ରାଜ୍ୟ ଚଳାଇବାରେ ସେ ଅତି ଧୁରନ୍ଧର । ତାଙ୍କପରି ବୁଦ୍ଧିଆ ମନ୍ତ୍ରୀଟିଏ ପାଇଥିବାରୁ ରଜାଙ୍କୁ କେବେହେଲେ କୌଣସି ଅସୁବିଧା ଭୋଗିବାକୁ ପଡ଼େ ନାହିଁ । ମନ୍ତ୍ରୀ ଯେତେବେଳେ ଯେଉଁ ପରାମର୍ଶ ଦିଅନ୍ତି, ରଜା ତାହା ମାନି କାମ କରନ୍ତି । ହେଲେ, ଗୋଟିଏ ବିଷୟରେ ସେ ମନ୍ତ୍ରୀଙ୍କ କଥା ରଖନ୍ତି ନାହିଁ । ଯଦି ମନ୍ତ୍ରୀ କେବେ ମାକଡ଼ ବିରୁଦ୍ଧରେ କିଛି କହନ୍ତି, ରଜା ତାହା ମୋଟେ ଶୁଣନ୍ତି ନାହିଁ ।

 

ଏଥିରେ ମନ୍ତ୍ରୀଙ୍କ ମନରେ ବଡ଼ ଦୁଃଖ ଆସେ । ସେ ରଜାଙ୍କ ଭଲପାଇଁ କହନ୍ତି, ଅଥଚ ରଜା ତାହା ଓଲଟା ବୁଝନ୍ତି । ତଥାପି ମନ୍ତ୍ରୀ ଛାଡ଼ନ୍ତି ନାହିଁ, ସାମାନ୍ୟ ପଶୁଟା ଉପରେ ଏତେ ନିର୍ଭର କରିବା ଉଚିତ ନୁହେଁ ବୋଲି ଥରକୁଥର ରଜାଙ୍କୁ ବୁଝାନ୍ତି ।

 

ଯେତେ କହିଲେ ବି କିଛି ଫଳ ହେଲା ନାହିଁ । ମାକଡ଼ ଯୋଗୁ କାଳେ କେତେବେଳେ ରଜାଙ୍କ ଉପରକୁ ବିପଦ ଆସିବ, ଏଥିଲାଗି ମନ୍ତ୍ରୀଙ୍କ ମନ ବରାବର ଗୁଡ଼େଇପୁଡ଼େଇ ହେଲା । ସେ ଦିନେ ପୁଣି ଉଆସକୁ ଆସିଲେ । ରଜାଙ୍କୁ ଶେଷ ଥରପାଇଁ ବୁଝାଇଲେ–

 

‘‘ଅଡ଼ୁଆ ପଛକେ ଲାଗୁ ହେ ରାଜନ !

ତୁମକୁ ମୋ କଥାମାନ,

କହୁଥିବି ମୁହିଁ ତୁମ ହିତପାଇଁ

ବଞ୍ଚିଥିବି ଯେତେ ଦିନ ।

ସହଜେ ମାକଡ଼ ନିର୍ବୁଦ୍ଧିଆ ବଡ଼,

ପାଖେ ସେ ଅଛି କିପାଇଁ ?

ଏତେ ଦାସଦାସୀ ଅଛନ୍ତି ଛାମୁଙ୍କୁ

ସେବି କି ପାରିବେ ନାହିଁ ?

ମୂର୍ଖ ପଶୁଠାରେ କିଅଛି ବିଶ୍ୱାସ,

ଭଲମନ୍ଦ ସେ କି ଜାଣେ ?

କେତେବେଳେ କିସ ଭିଆଇବ କାଣ୍ଡ,

ସେଇ ଡର ମୋର ମନେ ।’’

 

ମନ୍ତ୍ରୀଙ୍କ କଥାରେ ଏଥର ବି ରଜା କାନ ଦେଲେ ନାହିଁ । ଓଲଟି କହିଲେ–

 

‘‘ନା-ନା, ସେଭଳି କିଛି ଡର ନାହିଁ । ମାକଡ଼ ପରି ମୋ ମନ ଜାଣି କିଏ ଏତେ ସେବା କରିବ ? ମୁଁ ତାକୁ ମୋଟେ ଛାଡ଼ିପାରିବି ନାହିଁ । ଯେମିତି ସେ ମୋ ପାଖରେ ରହିଛି, ସେହିପରି ରହିଥିବ ।’’

 

ମନ୍ତ୍ରୀ ଚୁପ୍‍ ହୋଇ ନିଜ ଘରକୁ ବାହୁଡ଼ିଗଲେ । ମନେ ମନେ କହିଲେ–ରଜାଙ୍କୁ କେବେହେଲେ ଭଲ ଯୋଗ ନାହିଁ, ନଇଲେ କି ଭଲ କଥାଗୁଡ଼ା ତାଙ୍କୁ ଏମିତି ଗନ୍ଧାନ୍ତା ?

 

ମାସେ ଖଣ୍ଡେ ଗଡ଼ିଗଲା । ଦିନେ ରାଜା ଖାଇପିଇସାରି ପଲଙ୍କରେ ଗଡ଼ପଡ଼ ହେଉଥାନ୍ତି । ମାକଡ଼ଟି ପଲଙ୍କ କଡ଼ରେ ବସି ତାଙ୍କର ପାଦ ମଚାଳୁଥାଏ । ସେଦିନ ଭାରି ଗରମ ପଡ଼ିଥାଏ । ରାଜାଙ୍କୁ ଆଉ ନିଦ ହେଲା ନାହିଁ । ଏହା ଦେଖି ମାକଡ଼ ଗୋଟିଏ ପଙ୍ଖା ଆଣି ବିଞ୍ଚିବାକୁ ଲାଗିଲା । ପଙ୍ଖା-ପବନରେ ରାଜାଙ୍କ ଦେହର ଝାଳସବୁ ମରିଗଲା । ଥଣ୍ଡା ହେବାରୁ କିଛି ସମୟପରେ ତାଙ୍କ ଆଖି ଆସ୍ତେ ଆସ୍ତେ ବୁଜି ହୋଇଗଲା । ସେ ନିଦରେ ଶୋଇପଡ଼ିଲେ ।

 

ଏହି ସମୟରେ ଗୋଟାଏ ମାଛି ଉଡ଼ିଆସି ରଜାଙ୍କ ନାକରେ ବସିଗଲା । ମାକଡ଼ ତାହା ଦେଖିଦେଲାମାତ୍ରେ ପଙ୍ଖାଟାକୁ ନାକଉପରେ ଖୁବ୍‌ ଜୋରରେ ବୁଲାଇଲା । ସେଇ ପବନରେ ମାଛି ଉଡ଼ିପଳାଇଲା ।

 

ଟିକକ ପରେ ସେଇ ମାଛିଟା ପୁଣି ଆସି ରଜାଙ୍କ କାନରେ ବସିଲା । ଏଥର ବି ମାକଡ଼ ତାକୁ ବିଞ୍ଚଣା-ପବନରେ ଘଉଡ଼େଇ ଦେଲା । ତଥାପି ସେ ମାଛି ଛାଡ଼ିଲା ନାହିଁ, ଚାହୁଁ ଚାହୁଁ ଉଡ଼ିଆସି ରଜାଙ୍କ ଗାଲରେ ବସିଲା । ମାକଡ଼ ତାକୁ ଯେତେ ଘଉଡ଼େଇଲା, ସେ ସେତେ ଆସିଲା । ରଜାଙ୍କ ଦେହର ଗୋଟିଏ ଜାଗାରେ ସେ, ସେଠୁ ଉଡ଼େଇଦେଲେ ପୁଣିଯାଇ ଆଉ ଗୋଟିଏ ଜାଗାରେ ସେ । ମାଛିର ଏ ବଦମାସି ଦେଖି ମାକଡ଼ ଭାରି ବିରକ୍ତ ହୋଇଉଠିଲା । ଭାବିଲା–ଏତେଥର କିଏ ୟାକୁ ଘଉଡ଼ାଉଥିବ ? ଛାର ଛିକର ମାଛି ବକଟେ, ୟାର ପୁଣି ଏତେ ଦାଉ । ରଜାଙ୍କ ନିଦରେ ବରାବର ବାଧା ଦେଲା । ଏକାଥରେ ହାଣି ଦିଗଡ଼ କରିଦେଲେ ତ କଥା ସରିବ ! ଆଉ ଥିବ, ନା ହଇରାଣ କରିବ ?

 

ସାଙ୍ଗେ ସାଙ୍ଗେ ମାକଡ଼ ପାଖ ବଖରାକୁ ଦୌଡ଼ିଗଲା । କାନ୍ଥରେ ଖଣ୍ଡାଟାଏ ଝୁଲୁଥିଲା । ତାକୁ ସେଠୁ ନେଇଆସି ବୀରପରି ପଲଙ୍କ ପାଖରେ ହାଜର ହୋଇଗଲା ।

 

Image

 

ସେତେବେଳକୁ ମାଛିଟା ରଜାଙ୍କ ବେକଉପରେ ବସିଥାଏ । ରଜାଙ୍କୁ ହଇରାଣ କରୁଛି ବୋଲି ତା’ ଉପରେ ମାକଡ଼ର ଏତେ ଅକସ୍‍ ହୋଇଥାଏ ଯେ. ସେ ଆଉ ଥାନ-ଅଥାନ କିଛି ବିଚାର କରିପାରିଲା ନାହିଁ । ମାଛିକୁ ଲାଖକରି ଖଣ୍ଡାରେ ବସାଇଲା ଚୋଟେ । ମାଛି ଗୋଟାଏ ନିହାତି ଛୋଟିଆ ଜୀବ, ପୁଣି ଭାରି ତରକା । ମାକଡ଼ ଚୋଟ ମାରୁ ମାରୁ ମାଛି ଉଡ଼ି ପଳେଇଲା । ମାତ୍ର ସେ ଚୋଟଟି ଯାଇ ରଜାଙ୍କର ଠିକ୍‌ ବେକମଝିରେ ବସିଲା । ମାଛି ଦି’ଗଡ଼ ହେବ କ’ଣ, ରଜାଙ୍କ ବେକ ଦି’ଗଡ଼ ହୋଇଗଲା । ସେଇ ମୁହୂର୍ତ୍ତରେ ରଜାଙ୍କର ପ୍ରାଣ ବାହାରି ଗଲା ।

 

ବୁଢ଼ା ମନ୍ତ୍ରୀ ଯାହା ଆଗରୁ ସନ୍ଦେହ କରୁଥିଲେ, ତାହାହିଁ ଠିକ୍‌ ଘଟିଲା । ତାଙ୍କ କଥା ନ ମାନି ରଜା ନିର୍ବୁଦ୍ଧିଆ ମାକଡ଼ଟାକୁ ବିଶ୍ୱାସ କରିବାର ଫଳ ହାତେ ହାତେ ପାଇଲେ । ରଜାଙ୍କୁ ସେବା କରିବାକୁ ଯାଇ ଶେଷରେ ମାକଡ଼ ତାଙ୍କ ଜୀବନ ନେଲା ।

Image

 

ବଗ ବାବାଜି

 

ରାତିର ଅନ୍ଧାର ଘୁଞ୍ଚେଇ ସୂର୍ଯ୍ୟ ପୂର୍ବ ଆକାଶରେ ଦେଖାଦେଲେ । ତାଙ୍କର କୁଆଁଳ ସୁନେଲି କିରଣ ପୃଥିବୀର ଚାରିଆଡ଼େ ଖେଳେଇ ହୋଇପଡ଼ିଲା । ଗୋଟିଏ ବଡ଼ ପୋଖରୀ । ସୂର୍ଯ୍ୟଙ୍କର ସେହି ସୁନେଲି କିରଣରେ ପୋଖରୀଟିର ନେଳିଆ ପାଣି ଝିଲ ମିଲ୍‌ ଦିଶିଲା । ମନ ହେଲା, ପୋଖରୀ ଉପରେ ସତେଯେପରି ନେଳିଆ-ହଳଦିଆମିଶା ଗୋଟିଏ ରଙ୍ଗିନ୍‌ ଗାଲିଚା କିଏ ବିଛାଇ ଦେଇଛି ।

 

ଭୋର୍‌ ବେଳର ସୁଲସୁଲିଆ ଥିରି ପବନରେ ପୋଖରୀର ପାଣି ଚହଲିଉଠିଲା । ପାଣିତଳେ ଯେତେ ମାଛ ରାତିରେ ଶୋଇଥିଲେ. ଆସ୍ତେ ଆସ୍ତେ ସେମାନଙ୍କର ନିଦ ଭାଙ୍ଗିଲା । ସବୁରି ଘରେ ପିଲାଏ ଆଗେ ଉଠନ୍ତି । ସେହିପରି ମାଛଛୁଆମାନେ ପହିଲେ ପାଣି ଉପରକୁ ଉଠିଆସି କିଲିକିଲି ହୋଇ ସୁନେଲି କିରଣରେ ଖେଳିବାକୁ ଲାଗିଲେ । ତାଙ୍କ ପଛେ ପଛେ ବଡ଼ ମାଛସବୁ ପୋଖରୀରେ ମଧ୍ୟ ଏଣେତେଣେ ବୁଲିଲେ ।

 

ଏହି ସମୟରେ ପାଣିକୂଳକୁ ଗୋଟିଏ ମାଛଛୁଆର ନଜର ପଡ଼ିଗଲା । ସେଠି ବଗଟିଏ ଏକଗୋଡ଼ିଆ ଠିଆ ହୋଇଛି । ପୁଣି ଦୁଇ ଆଖିବୁଜି ଗୁଣୁଗୁଣୁ ହୋଇ ମନକୁ ମନ କ’ଣ କହିହେଉଛି । ଆଜି ବଗର ଏଭଳି ନୂଆ ଢଙ୍ଗ ଦେଖି ଛୁଆମାଛଟା କାବା ହୋଇଗଲା । ସେ ତା’ର ସାଙ୍ଗ ସାଥୀମାନଙ୍କୁ ଡାକି କହିଲା–

 

‘‘ଏଇ ବଗଟା ଗଲା–କାଲିଯାଏ ପୋଖରୀଉପରେ ଉଡ଼ି ଗୋଟାକୁ ଗୋଟା ମାଛ ଝାମ୍ପିନେଇ ଗିଳି ଦେଉଥିଲା । ରାତିକ ଭିତରେ ଏମିତି କ’ଣ ହୋଇଗଲା ଯେ, ଆଜି ସକାଳକୁ ଏକାବେଳେ ଗୋଟାଏ ଅବତାର ପାଲଟିଯାଇଛି ? କେଉଁ ଗୁରୁ କାଲି ରାତିରେ ଏହାର କାନରେ ମନ୍ତ୍ର ଫୁଙ୍କିଦେଲା କେଜାଣି, ଝଟଝଟିଆ ନ ହେଉଣୁ ପୂରା ବାବାଜି ସାଜି ଗୋଟାଏ ଗୋଡ଼ ଉପରକୁ ଟେକି ଏଠି ତପସ୍ୟା କରୁଛି ।’’

 

ଏହା ଶୁଣି ଆଉ ଗୋଟିଏ ମାଛ ସମସ୍ତଙ୍କୁ ଚେତେଇଦେଇ କହିଲା–

 

‘‘ଭାଇମାନେ ! ତୁମମାନଙ୍କୁ ମୁଁ ସାବଧାନ କରାଇଦେଉଛି । ବଗ କେଉଁଠି ବାବାଜି ହେଲେଣି ? ଆମକୁ ଠକିବାପାଇଁ ସେ ଏପରି ଭଣ୍ଡ ବେଶ ସାଜିଛି । ତାକୁ ଜମା ବିଶ୍ୱାସ କର ନାହିଁ-। ବାବାଜି ବୋଲି ଭାବି ଭକ୍ତିରେ ଯେ ତା’ ପାଖକୁ ଯିବ, ଲମ୍ବା ଥଣ୍ଟ ବଢ଼େଇ ସେ ତାକୁ ଝପ୍‌କିନା ଧରିନେଇ ପାଟିକି ପକେଇ ଦେବଟି ।’’

 

ବଗ ନିଜର ପତଳା କାନକୁ ପାତି ମାଛମାନଙ୍କ କଥାବାର୍ତ୍ତାକୁ ଗୋଟି ଗୋଟି ସବୁ ଶୁଣୁଥାଏ । ଏବେ ତା’ର ଭଣ୍ଡାମି ଧରା ପଡ଼ିଯିବାର ଜାଣି ସେ ଏକ ବୁଦ୍ଧି କଲା । ଧୀରେ ଧୀରେ ଆଖି ଖୋଲି ମାଛମାନଙ୍କୁ ଚାହିଁଲା । ସେମାନଙ୍କ ମନରେ ପତିଆରା ଆଣିବାପାଇଁ ଫିସାଦ କାଢ଼ି କହିଲା–

 

‘‘ରାମ ରାମ ! କେଡ଼େ ବଡ଼

ଅମଙ୍ଗଳ କଥା

ସକାଳୁ ଶୁଣିଲା କାନ,

ହାୟରେ ବିଧାତା !

ଶୁଣ ଶୁଣ ଛୋଟ-ବଡ଼

ଯେତେ ତୁମେ ମାଛ,

ମୋ କଥାରେ ଟିକେ ହେଲେ

ନାହିଁ କିଛି ମିଛ ।

ତୁମରିମାନଙ୍କ ଲାଗି

ହେଲି ମୁଁ ବାବାଜି,

ରାତି ନ ପାହୁଣୁ ଏଥି

ଆସିଛି ମୁଁ ଆଜି ।

ଜପୁଛି ମୁଁ ହରିନାମ

ଛାଡ଼ିଛି ଆଇଁଷ,

ବର୍ଷକେ ଛ ମାସ ମୋର

ବ୍ରତ ଉପବାସ ।

ଡାକିବି ପ୍ରଭୁଙ୍କୁ ନିତି

ବଞ୍ଚିଥିବାଯାକେ

ତୁମରି ମଙ୍ଗଳପାଇଁ

ରହି ପାଖେ ପାଖେ ।’’

 

ବଗମୁହଁରୁ ଏଭଳି ଧର୍ମକଥା ଶୁଣିଲାପରେ ମାଛମାନଙ୍କ ମନ ଟିକିଏ ବଦଳିଗଲା । ସେମାନେ ତା’ ପାଖରୁ ଆଉ କିଛି ଶୁଣିବାକୁ ଇଚ୍ଛା କଲେ । ମାଛଟିଏ ଆଗ୍ରହରେ ପଚାରିଲା ।

 

‘‘ତୁମେ ବାବାଜି ହେବାପାଇଁ କାହିଁକି ମନ ବଳାଇଲ ? ତୁମର କ’ଣ ଲାଭ ହେଉଛି ?’’

 

ବଗ ଜାଣିଲା, ଏଥର ତା’ ଫିସାଦି ଟିକିଏ କାମ ଦେଇଛି ତହୁଁ ସେ ବୁଝାଇ କହିଲା–

 

‘‘ଆଗେ ମୁଁ ବହୁତ ପାପକାମ କରିଥିଲି । ସେଇ କଥା ଭାବିଲାରୁ ମନଟା ଦୁଃଖରେ ଏକାବେଳେ ସନ୍ତୁଳି ହୋଇଗଲା ଦୁନିଆଟା ମତେ ଅସାର ଜଣାଗଲା । ପୂର୍ବର ପାପ କିପରି କଟିବ, ଖାଲି ସେଇଆ ଭାବିଲି । ଶେଷରେ ଜଣେ ସାଧୁ ବାବାଙ୍କ ଚେଲା ହୋଇ ତାଙ୍କରିଠାରୁ ମନ୍ତ୍ର ନେଲି । ସେଇଥିରେ ମୋର ସବୁ ପାପ ଚାଲିଗଲା । ବାବାଙ୍କ ଦୟାରୁ ମୋର ବହୁତ ଧର୍ମଜ୍ଞାନ ହୋଇଯାଇଛି । ଏବେ ମତେ ଆଗତ-ଭବିଷ୍ୟତ ସବୁ ଜଳଜଳ ଦିଶିଯାଉଛି ।’’

 

ମାଛମାନେ ଏହା ଶୁଣି ଏକସ୍ୱରରେ ପଚାରିଉଠିଲେ ।

 

ବଗ ବାବାଜି । କହିଲଦେଖି ଆମମାନଙ୍କ ଭାଗ୍ୟରେ କ’ଣ ଅଛି–ଭଲ ନା ମନ୍ଦ ?’’

 

ଚାହୁଁ ଚାହୁଁ ବଗ ହଠାତ୍ ଆଖି ବନ୍ଦ କରିଦେଲା । କିଛି ସମୟପରେ ତା’ର ଦୁଇଆଖିରୁ ଦୁଇଧାର ଲୁହ ଗଡ଼ିଆସିଲା ସେ ପୁଣି ଆଖି ଖୋଲି ବଡ଼ ଦୁଃଖରେ କହିଲା ।

 

‘‘ପଡ଼ିଛି ତୁମକୁ ସବୁ

ବଡ଼ ମନ୍ଦ ଦଶା,

ଭାବିଲେ ସେକଥା ମୋର

ଉଡ଼ିଯାଏ ହଂସା ।

ମୋଟେ ଦଶଦିନ ତୁମ

ଆୟୁ ଅଛି ବାକି,

ସାତ ଦିନମଧ୍ୟେ ଏଥୁ

ପାଣି ଯିବ ଶୁଖି ।

ପାଣି ବିନେ ତୁମେସବୁ

ହେବ ଛାଟିପିଟି,

ବିକଳେ ମରିବ ଶେଷେ

ଆହା ଗୋଟି ଗୋଟି ।’’

 

Image

 

ମାଛଯାକ ଏବେ କରିବେ କ’ଣ ? ଖାଲି ମୁଣ୍ଡ ପିଟି କାନ୍ଦିବାକୁ ଲାଗିଲେ । ସାରା ପୋଖରୀଟାଯାକର ମାଛ ଚାହୁଁ ଚାହୁଁ ଆସି ବଗ ପାଖରେ ରୁଣ୍ଡ ହୋଇଗଲେ । ସମସ୍ତେ ତାକୁ କହିଲେ ।

 

‘‘ବଗ ବାବା ! ତୁମେ ଜଉତିଷ, ବାବାଜି, ସବୁ । ତୁମ ଛଡ଼ା ଆମମାନଙ୍କର ଭଲ ମନାସିବାକୁ ଏ ଦୁନିଆରେ ଆଉ କେହି ନାହିଁ । ତୁମକୁ କେଉଁ କଥା ଅବା ଅଛପା ? ଏବେ କୁହ, ନେହୁରା ହେଉଛୁଁ, ତୁମ ଗୋଡ଼ତଳେ ପଡ଼ୁଛୁଁ, ଆମସମସ୍ତଙ୍କୁ କିପରି ବଞ୍ଚାଅ ।’’

 

ବଗ ତ ଏଇ କଥା ଶୁଣିବ ବୋଲି ଖୋଜୁଥିଲା । ଏବେ କହିଲା–

 

‘‘ଏଇଟା କ’ଣ ତୁମକୁ ଆଉ କହିବାକୁ ପଡ଼ିବ ? ତୁମରି ଉପକାରପାଇଁ ପରା ମୁଁ ଏଠି ରହିଛି ! ତୁମେମାନେ ମରିଯିବ, ମୁଁ ପୁଣି ତାହା ନିଜ ଆଖିରେ ଦେଖିବି ! ଏହା କି କେବେହେଲେ ହୋଇପାରେ ? ବିଷ ଚଢ଼େଇଜାଣେ ଯେ, ବିଷ କଢ଼େଇଜାଣେ ବି ସେଇ । ମୁଁ ତୁମକୁ ଦଶାକଥା କହିଲି, ମୁଇଁ ପୁଣି ତୁମକୁ ସେଇ ଦଶାରୁ ଉଦ୍ଧାରିବି । ଏବେ ଶୁଣ ମୁଁ କ’ଣ କରିବାକୁ ଯାଉଛି । ଅଳ୍ପ ଦୂରରେ ଆଉ ଗୋଟିଏ ପୋଖରୀ ଅଛି । ସେ ପୋଖରୀଟି ଯେମିତି ବଡ଼ ସେମିତି ଗହୀର । ସେଠି ବହୁତ ପାଣି, ମୋଟେ ଶୁଖେ ନାହିଁ । ଏଠି ଯେତେ ମାଛ ଅଛ, ମୁଁ ଜଣ ଜଣ କରି ତୁମକୁ ନେଇ ସେଠି ଛାଡ଼ିଦେଇ ଆସିବି । ଏ ପୋଖରୀ ଶୁଖିବାକୁ ସାତଦିନ ଅଛି । ଏହା ଭିତରେ ତୁମେ ସମସ୍ତେ ଯେମିତି ବଡ଼ ପୋଖରୀକି ଚାଲିଯିବ, ତା’ର ଭାର ମୁଁ ନେଲି ତୁମେ ସବୁ ଆଦୌ ଚିନ୍ତାକର ନାହିଁ । ଏ କାମରେ ମତେ ଯେତେ କଷ୍ଟ ପଡ଼ୁ ପଛକେ, ସେଥିକି ମୋର ଦୁଃଖ ନାହିଁ ।’’

 

ମାଛମାନେ ଆନନ୍ଦରେ ଅଥୟ ହୋଇଉଠିଲେ । ଏ କହିଲା ‘‘ମତେ ଆଗେ ନେଇଯାଅ’’ ସେ କହିଲା ‘‘ମତେ ଆଗ ନେଇ ଯାଅ ।’’ ଶେଷରେ ବଗ ସମସ୍ତଙ୍କୁ ବୋଧ ଦେଇ ଥୟ କଲା । ତା’ପରେ ଗୋଟିଏ ମାଛ ଥଣ୍ଟରେ ଧରି ଅନ୍ୟ ପୋଖରୀକୁ ଯିବା ବାହାନାରେ ଉଡ଼ିଗଲା । ମାଛ ଖାଇବାକୁ ତ ସେ ଏତେ ଫିକର କାଢ଼ିଥିଲା, ଏବେ ଥଣ୍ଟରେ ଧରିଥିବା ମାଛଟିକୁ ଗୋଟିଏ ନିଛାଟିଆ ଜାଗାରେ ବସି ନିଶ୍ଚିନ୍ତରେ ଖାଇଦେଲା । ବିଳମ୍ବ ନ କରି ସେ ପୁଣି ପୋଖରୀକୁ ଆସି ଆଉ ଗୋଟିଏ ମାଛ ନେଇଗଲା । ତାକୁ ବି ସେହିପରି ବାଟରେ ଚଳୁ କରିଦେଲା । ଏହିରୂପେ ଦିନଟି ସାରା ବଗ ଆସୁଥାଏ, ଗୋଟିଏ ଲେଖାଏଁ ମାଛ ନେଉଥାଏ, କିଛି ଦୂର ଯାଇ ତାକୁ ପାଟିଭିତରକୁ ଗଳେଇପକାଉଥାଏ । ଖାଇ ଖାଇ ପେଟ ତା’ର ଢିଲ୍ ହୋଇଗଲା । ଆଉ ଖାଇବାକୁ ପେଟରେ ମୋଟେ ଜାଗା ରହିଲା ନାହିଁ ।

 

ସଞ୍ଜ ହେଲାରୁ ବଗ ପୋଖରୀକି ଫେରିଆସିଲା । ରାତିଟି ସେଇଠି କଟେଇଲା । ସକାଳ ଯେମିତି ହୋଇଛି, ପୁଣି ତା’ର ମାଛ ବୁହା କାମ ଆରମ୍ଭ ହୋଇଗଲା । ଆଗ ଦିନଟି ପରି ସେଦିନ ବି ତା’ର ମହା ଆନନ୍ଦରେ ମାଛଖିଆ ଚାଲିଲା । ସୂର୍ଯ୍ୟବୁଡ଼ବେଳକୁ ଫେରିଆସି ଅଣନିଶ୍ୱାସୀ ହୋଇ ମାଛମାନଙ୍କୁ କହିଲା–

 

‘‘ବଅସ ଗଲାଣି ମୋର

ବୁଢ଼ା ହେଲି ଆସି,

ପାରୁ ନାହିଁ ଉଡ଼ି ଆଉ

ଆଗପରି ବେଶୀ ।

ଥକିଯାଉ ଡେଣା ପଛେ

ଥକିଯାଉ ପାଦ,

ତୁମକୁ ନେବାରେ ମୋର

ବହୁତ ଆନନ୍ଦ ।

ସଭିଏଁ ସେ ପୋଖରୀରେ

ରହିବ ଏକାଠି,

ତେବେ ଯାଇ ମୋର ଜାଣ

ସରିବ ପାଇଟି ।’’

 

ମାଛଙ୍କୁ ଭୁଲାଇ ଭଣ୍ଡ-ବାବାଜି ବଗ ଏହିପରି କାରବାର ଚଳାଇଲା । ସେଇ ପୋଖରୀରେ କଙ୍କଡ଼ାଟିଏ ମଧ୍ୟ ରହିଥିଲା । ସେ ଦିନେ ଆସି ବଗକୁ କହିଲା–

 

‘‘ବାଆଜି ଗୋସେଇଁ: ମୁଁ ଗୋଟିଏ ଅରକ୍ଷିତ ଜୀବ, ଏଠି ପଡ଼ିରହିଛି । ଏତେ ମାଛଙ୍କୁ ଉଦ୍ଧାର କରୁଛ, ଏ ଅରକ୍ଷିତକୁ ଟିକିଏ ଦୟାକରିବ ନାହିଁ ? ତୁମେ ଥାଉ ଥାଉ କ’ଣ ମୁଁ ଏଠି ପଡ଼ି ମରିବି’’ ।

 

କଙ୍କଡ଼ାର କଥାଶୁଣି ବଗ ମହାଖୁସି ହେଲା । ଲାଗି ଲାଗି ଏତେଦିନ ମାଛ ଖାଇ ଖାଇ ତାକୁ ବଡ଼ ଚିଟା ଲାଗୁଥିଲା । ଏବେ କଙ୍କଡ଼ାର କଅଁଳ ମାଉଁସ ଖାଇବାକୁ ସୁବିଧା ଜୁଟିଗଲା । ବଗ ପାଟିରୁ ତା’ ଅଜାଣତରେ ଲାଳ ଗଡ଼ିପଡ଼ିଲା । ସେ କଙ୍କଡ଼ାକୁ କହିଲା–

 

‘‘ଆଚ୍ଛା ହେଉ ଆସ, ତୁମକୁ ଆଗ ନେଇ ଛାଡ଼ିଦେଇ ଆସିବି, ଫେରିଲେ ଏ ମାଛମାନଙ୍କୁ ନେବି । ତୁମେ କାହିଁକି ମନଊଣା କରିବ ?’’

 

ବଗ ଏହା କହି କଙ୍କଡ଼ାକୁ ଥଣ୍ଟରେ ଧରି ଆକାଶକୁ ଉଡ଼ିଗଲା । କିଛି ଦୂର ଆଗକୁ ଗଲାପରେ କଙ୍କଡ଼ାର ଆଖି ଭୂଇଁଉପରେ ପଡ଼ିଲା । ସେ ଦେଖିଲା, ତଳେ ଏତେ ମାଛକଣ୍ଟା ଗଦାହୋଇଛି ଯେ ତା’ର ସୁମାରି କରିହେବ ନାହିଁ । ବଗ ଯେ କେତେଦିନ ହେଲା ମାଛମାନଙ୍କୁ ଭଣ୍ଡେଇ ଆଣି ସେଠି ଭୋଜି କରୁଛି, ଏହା ସେ ବେଶ୍ ବୁଝିପାରିଲା । ତେଣୁ କିପରି ବଦମାସ ବଗକୁ ସେ ଜୀବନରେ ମାରିଦେବ, ସେହି ଉପାୟ ପାଞ୍ଚିଲା ।

 

ଠିକ୍ ସେତିକିବେଳେ ବଗ ତଳକୁ ଓହ୍ଲାଇ ଆସିଲା । ସେ କଙ୍କଡ଼ାକୁ ଖାଇବାର ଯୋଗାଡ଼ କରିବା ପୂର୍ବରୁ କଙ୍କଡ଼ା ତା’ ମୁନିଆଁ ଗୋଡ଼ଗୁଡ଼ାକୁ ବଗ ତଣ୍ଟିର ଦୁଇ କଡ଼ରେ ଖୁବ୍ ଜୋରରେ ଗଳେଇଦେଲା । ବଗର ବେକ ଭାରି ନରମା । ତାହା କଙ୍କଡ଼ାଗୋଡ଼ର ଚୋଟରେ ଛିଣ୍ଡିଗଲା । ସାଙ୍ଗେ ସାଙ୍ଗେ ବଗ ଛଟପଟ ହୋଇ ସେଠି ମରିଗଲା । ଭଣ୍ଡ ବାବାଜି ସାଜି ମାଛମାନଙ୍କୁ ଧରି ଖାଇବାର ଶାସ୍ତି ଏହିରୂପେ ପାଇଲା ।

 

ଏବେ କଙ୍କଡ଼ା ମହାଖୁସିରେ ଡଗ ଡଗ ହୋଇ ପୋଖରୀକି ଧାଇଁଲା । ସେଠାରେ ପହଞ୍ଚି ମାଛମାନଙ୍କୁ ସବୁ ଘଟନା କହିଲା । ସେମାନେ ତାହା ଶୁଣି ତାଟଙ୍ଗା ହୋଇଗଲେ । ମରିଯାଇଥିବା ସାଙ୍ଗ ଭାଇମାନଙ୍କ ପାଇଁ ବହୁତ ଝୁରିହେଲେ । କଙ୍କଡ଼ା ଯୋଗୁ ସେମାନେ ଜୀବନ ପାଇଲେ ବୋଲି ତାକୁ କେତେ ପ୍ରଶଂସା କଲେ ।

Image

 

ଭାରଣ୍ଡ ପକ୍ଷୀର ମୁହଁ

 

ଆଗ କାଳରେ ଭାରଣ୍ଡ ବୋଲି ଜାତିଏ ପକ୍ଷୀ ଥିଲେ । ପୁରାଣମାନଙ୍କରେ ଆଉ ଆଗକାଳିକା କେତେକ ଗାଉଁଲି ଗପରେ ଏହି ପକ୍ଷୀର ନାଆଁ ପଡ଼େ । ସେଥିରୁ ଜଣାଯାଏ ଯେ, ଭାରଣ୍ଡ ଏକ ଆଶ୍ଚର୍ଯ୍ୟ ପ୍ରକାର ଚଢ଼େଇ । ତା’ର ଦୁଇଟା ବଡ଼ ବଡ଼ ମୁହଁ, କିନ୍ତୁ ଗୋଟିଏ ପେଟ । ଦେଖିବାକୁ ତା’ର ଆକାର ବେଶ୍ ବଡ଼ ।

ଭାରଣ୍ଡ ବେଶୀ ସମୟ ପାଣିରେ ରହେ । ବେଳେ ବେଳେ ଭୂଇଁ ଉପରକୁ ଆସି ଚଲାବୁଲାକରେ । ଫଳମୂଳ କିଛି ଦେଖିଲେ ତା’ ପାଖକୁ ଯାଏ । ଖାଇବା ଜିନିଷ ଗୋଟିଏ ଥିଲେ ଦୁଇ ମୁହଁ ଭିତରୁ ଗୋଟିଏ ମୁହଁ ତାହା ଖାଏ । ଯଦି ଦୁଇଟି ଥାଏ, ତାହାହେଲେ ପ୍ରତ୍ୟେକ ମୁହଁ ଗୋଟିଏ ଲେଖାଏଁ ଖାଏ । ଆଉ ଯେବେ ବେଶୀ ଥାଏ, ତେବେ ଦୁଇ ମୁହଁ ଯାକ ମିଶି ସେଗୁଡ଼ିକୁ ଖାଇବାରେ ଲାଗିଯାନ୍ତି । ଯେଉଁ ମୁହଁ ଯାହା ଖାଉ ପଛକେ, ସବୁ ଯାଇ ଗୋଟିଏ ପେଟରେ ପଡ଼େ-। ଗୋଟିଏ ଖାଇବା ଜିନିଷ ଦେଖିଲେ ବେଳେ ବେଳେ ଦୁଇ ମୁହଁ ଭିତରେ ଝଗଡ଼ା ଲାଗିଯାଏ । ଦୁହେଁଯାକ ତାକୁ ଖାଇବା ଲାଗି ଆବୁରା ପଡ଼ନ୍ତି ।

ଗୋଟିଏ ଭାରଣ୍ଡ ପକ୍ଷୀ ସମୁଦ୍ରରେ ରହୁଥିଲା । ଦିନେ ସେ ପାଣିରୁ ଉଠିଆସି ସମୁଦ୍ର କୂଳରେ ବୁଲୁ ବୁଲୁ ଫଳଟିଏ ଦେଖିଲା । ଫଳଟି ଗୋଟିଏ ନୂଆ ପ୍ରକାରର ଫଳ । ଦରିଆକୂଳ ଅଞ୍ଚଳରେ ମିଳେ ନାହିଁ । ପ୍ରକୃତରେ ତାହା ଅନେକ ଦୂରରୁ ସମୁଦ୍ରରୁ ଭାସି ଭାସି ଆସିଥିଲା । ଯେତେବେଳେ ଖୁବ୍ ଲହଡ଼ି ଉଠିଲା, ସେତେବେଳେ ସେଇ ଲହଡ଼ି ତାକୁ ଠେଲି ଠେଲି ନେଇ କୂଳଉପରେ ଫିଙ୍ଗି ଦେଇଥିଲା ।

ଭାରଣ୍ଡକୁ ସେତେବେଳେ ଭାରି ଭୋକ ହେଉଥିଲା । ତେଣୁ ସେ ଫଳଟିର ନିକଟକୁ ଧାଇଁଗଲା । ସାଙ୍ଗେ ସାଙ୍ଗେ ଗୋଟିଏ ମୁହଁ ସେ ଫଳଟିକୁ ଖାଇଦେଲା । ଯେଉଁ ମୁହଁଟି ଖାଇଲା ସେ ଆଶ୍ଚର୍ଯ୍ୟ ହୋଇଯାଇ କହିଲା–

‘‘ଅତି ଆଚମ୍ବିତ ଫଳଟିଏ ଏ ତ

ଅଇଲା କାହୁଁ,

ପାଟିରେ ପଡ଼ିଲେ ତଣ୍ଟି ବାନ୍ଧିଯାଏ

ସତେ କି ମହୁ ।

ହଜାର ହଜାର ଚାଖିଛି ମୁଁ ଫଳ

ଜୀବନେ ମୋର,

ଏ ଫଳକୁ ସରି ହେବ ନାହିଁ କେଭେଁ

ସୁଆଦ କାର ।

କେଉଁ ରାଇଜରେ ଫଳିଥିଲା କେଉଁ

ଅମୃତ ଗଛେ,

କିଏସେ କହିବ ଏଡ଼େ ମିଠା ଫଳ

କେଉଁଠି ପାଚେ ।

ଜଣାପଡ଼ନ୍ତା କି, ନିତି ଏଇ ଫଳ

ଖାଆନ୍ତି ଯାଇ,

ଏହାଠାରୁ ବଳି ଅମୃତ-ସୁଆଦ

ମିଳିବ କାହିଁ ?’’

 

ଆର ମୁହଁଟି ଏହା ଶୁଣି ଭାରି ଦୁଃଖ କଲା । ଏଡ଼େ ସୁନ୍ଦର ମିଠା ଫଳଟିଏ ମିଳିଲା, ଅଥଚ ସେ ତା’ର ସୁଆଦ ଟିକିଏ ହେଲେ ଚାଖିପାରିଲା ନାହିଁ । ଫଳଟିର କଥା ଭାବିଦେଲାବେଳକୁ ତା’ ଜିଭରୁ ଧାରକୁ ଧାର ଲାଳ ଗଡ଼ିପଡ଼ିଲା । ସେ ରାଗରେ ଗରଗର ହୋଇ ପ୍ରଥମ ମୁହଁକୁ କହିଲା-:–

 

‘‘ଫଳଟିକୁ ତୁ ଯେତେ ତାରିଫ କରି କହିଲେ ବି ସେଥିରୁ କ’ଣ ମିଳିବ ? ତୁ ଏଡ଼େ ହିଂସୁକୁଟିଆ ବୋଲି ମୁଁ ଜାଣି ନ ଥିଲି । ଗୋଟାକଯାକ ଫଳ ଖାଇଲୁ, ମତେ ବକଟେ ହେଲେ ଦେବାକୁ ତୋର ସତ ବଳିଲା ନାହିଁ । ମୁଁ ଟିକିଏ ସେଥିରୁ ଚାଖିଥିଲେ ତୋର ଭଲା କ’ଣ ହାନି ହୋଇଯାଇଥାନ୍ତା ? ଆଚ୍ଛାହେଉ, ଏକଥା ମୋ ମନରେ ରହିଲା । ଯେଉଁ ଦିନ ହେଲେ ତତେ ଏହାର ପ୍ରତିଫଳ ଦେବି ।’’

 

ତା’ର ଏପରି ରାଗ-ତମତମ କଥା ଶୁଣି ପ୍ରଥମ ମୁହଁ ତାକୁ ବୁଝାଇ କହିଲା–

 

‘‘ଆରେ ଭାଇ ! ରାଗ ନାଇଁ, ମୋ କଥା ଶୁଣ । ଅମୃତ ପରି ମିଠା ଲାଗିଲା ବୋଲି ମୁଁ ଫଳଟି ଖାଇଦେଲି । ତୁ ଏମିତି ଧରସର ହେବୁ ବୋଲି ଜାଣିଥିଲେ ତତେ ନିଶ୍ଚେ ତହିଁରୁ ଫାଳେ ଦେଇଥାନ୍ତି । ଏକାଟିଆ ଖାଇଯିବି’ ତତେ ଜମା ଦେବି ନାଇଁ, ଏଭଳି ଧାରଣା ମୋର ମୋଟେ ନ ଥିଲା । ତା’ପରେ ଆଉ ଗୋଟିଏ କଥା ମୋର କ’ଣ ଗୋଟାଏ ଅଲଗା ପେଟ ଅଛି : ମୋର ଯେଉଁ ପେଟ, ତୋର ତ ସେଇ ପେଟ । ମୁଁ ଖାଇଲେ ଯେଉଁଠିକି ଯିବ, ତୁ ଖାଇଲେ ବି ସେଇଠିକି ଯିବ । ଏବେ ଫଳଟି ପାଇ ପେଟ ଖୁସି ହୋଇସାରିଲାଣି । ଏତେବେଳେ ମୋ ସାଙ୍ଗରେ କଳି ଲଗାଇଲେ ଫଳ କଣ’’ ?

 

ଯେତେ ବୁଝାଇ କହିଲେ ମଧ୍ୟ ଦ୍ୱିତୀୟ ମୁହଁ ଆଦୌ ବୁଝିଲା ନାହିଁ । ତା’ର ସେଇ ଗୋଟିଏ ଜିଦ୍–‘‘ମତେ ନ ଦେଇ ଏକା ଏକା ଖାଇଦେଲ କାହିଁକି ?’’ ସେ ଆଉ ପ୍ରଥମ ମୁହଁ ସହିତ କଥା କହିଲା ନାହିଁ । ସେହି ମୁହୂର୍ତ୍ତରୁ ତାକୁ ଶତ୍ରୁ ଆଖିରେ ଦେଖିଲା । କିପରି ଅହନ୍ତା ସାଧିବ, ଏଥିପାଇଁ ଦିନରାତି ଚିନ୍ତା କରିବାକୁ ଲାଗିଲା ।

 

Image

 

ମାସେ ଅଧେ ଗଲା । ଦିନେ ଭାରଣ୍ଡ ପକ୍ଷୀ କୂଳଉପରକୁ ଉଠି ଏଣେତେଣେ ବୁଲିଲା । ଦୈବଯୋଗକୁ ସେତିକିବେଳେ ଗୋଟିଏ ପାଚିଲା ଫଳ ଆଖିରେ ପଡ଼ିଲା । ଦ୍ୱିତୀୟ ମୁହଁ ସାଙ୍ଗେ ସାଙ୍ଗେ ତାକୁ ଧରିନେଇ ଆର ମୁହଁକୁ କହିଲା–

 

‘‘ତୋହରି ଆଗରେ ଫଳଟିକି ଏକା

ଦେଉଛି ଖାଇ,

ବଲବଲ କରି ରହିଥାଆ ତୁହି

ବିକଳେ ଚାହିଁ ।

ମନେ ଅଛିଟି କି ସେଦିନର କଥା,

ଦେଲୁନି ଭାଗ,

ଶୁଝାଇବି ସେହି ଅକସ ଆଜି ମୁଁ

ପଡ଼ିଛି ଯୋଗ ।

ଚେରୁଳେ ଦେବିନି ନେହୁରା ହୋଇ ତୁ

କଲେ ବି ଅଳି,

ଏକା ମାଘେ ଶୀତ ଚାଲିଯାଏ ବୋଲି

ଥିଲୁ କି ଭାଳି’’ ।

 

ସାଥୀର ଏଭଳି ମୂର୍ଖ ବୁଝାମଣା ଦେଖି ପ୍ରଥମ ମୁହଁ ବଡ଼ ବ୍ୟସ୍ତ ହୋଇପଡ଼ିଲା । ସେ ଦେଖିଲା, ଫଳଟି ଗୋଟିଏ ବିଷଫଳ । ସତକୁସତ ଦ୍ୱିତୀୟ ମୁହଁ ଯଦି ତାକୁ ଅହନ୍ତାରେ ଖାଇଦିଏ, ତାହା ହେଲେ ଅବସ୍ଥା ସରିଯିବ । ଏଥଇପାଇଁ ପ୍ରଥମମୁହଁ ତାକୁ ବୁଝାଇଲା–

 

‘‘ଏ କ’ଣ କରିବାକୁ ଯାଉଛୁ ? ଏଇମିତି କ’ଣ ଅକସ ଶୁଝାନ୍ତି ? ମୁଁ ଦେଖୁଛି ମୋ ଉପରେ ରାଗି ବୁଦ୍ଧି ଶୁଦ୍ଧି ସବୁ ତୁ ହରେଇବସିଛୁ ଯେଉଁ ଫଳଟିକି ଖାଇବାକୁ ଯାଉଛୁ, ତାହା ଗୋଟିଏ ବିଷଫଳ । ପେଟରେ ପଡ଼ିଲାମାତ୍ରେ ଦେହଯାକ ବିଷ ଚରିଯିବ । ତା’ପରେ କ’ଣ ହେବ ଜାଣୁ ? ସେହି ବିଷଜାଳାରେ ଦୁହିଙ୍କି ଦୁହେଁ ମରିଯିବା । ମୁଁ ଯଦି ଏକା ମରନ୍ତି, ତାହାହେଲେ ସିନା ମୋଠେଇଁ ତୁ ଅହନ୍ତା ସାଧିଲୁ ବୋଲି ଖୁସି ହୁଅନ୍ତୁ ! ମାତ୍ର ମୋ ସାଙ୍ଗରେ ତୁ ତ ମରିଯିବୁ, ଏଥିରେ ତୋର ବାହାଦୁରି ରହିଲା କେଉଁଠି ? ମୋ କଥା ମାନ, ଜାଣି ଜାଣି ଏଭଳି ମୂର୍ଖାମି କରି କଦାପି ଦୁହିଙ୍କର ସର୍ବନାଶ ଘଟାନା ।’’

 

ତଥାପି ଦ୍ୱିତୀୟ ମୁହଁ ବୁଝିଲା ନାହିଁ କି ସାଥିର କଥା ମାନିଲା ନାହିଁ । ଓଲଟି କହିଲା–

 

‘‘ସେ ଗୁରୁପଣିଆ ରଖିଦେଇଥା, ଆଉ କେଉଁଠି ଦେଖାଇବୁ । ମନେ ମନେ ତୁ ନିଜକୁ ଭାରି ଚାଲାଖ ବୋଲି ଭାବୁଛୁ । ମୁଁ ଏଡ଼େ ଆଗୁଆଁର ହୋଇ ନାହିଁ ଯେ ତୋ କଥାକୁ ଆଖିବୁଜି ମାନିନେବି ! ବିଷଫଳ ହେଉ କି ଅମୃତ ଫଳ ହେଉ, ମୁଁ ନିଶ୍ଚୟ ଏହାକୁ ଖାଇବି । ମତେ ଏମିତି ଭୁଲେଇଦେଲେ ମୁଁ ଭୁଲିଯାଇ ଫଳଟି ଖାଇବି ନାହିଁ, ତାହାହେଲେ ତୋର ବଡ଼ପଣ ରହିଯିବ–ଏଇଆ ଭାବିଛୁ, ନା ? ଜାଣି ରଖିଥା, ତୁ ଯେତେହେଲେ ମୋର ଶତ୍ରୁ, ମୁଁ ତୋ କଥାରେ ମୋଟେ ନ ଭୁଲେଁ ! ସେ କଅଁଳିଆ କଥା ରଖିଦେ । ହଇରେ, ପେଟ ସିନା ଆମର କୋଠ, ଜିଭ ତ ଅଲଗା ଅଲଗା । ସେଦିନ ଯେତେବେଳେ ତୋ ଜିଭରେ ସୁଆଦ ମାରିଦେଲୁ, ମୋ ଜିଭକଥା ତ ମୋଟେ ଭାବିଲୁ ନାହିଁ ? ସେତେବେଳେ ତୋର ଏ କଅଁଳିଆ କଥା କେଉଁଠି ଥିଲା ? ଯାହା ହେଲା ହେଲା, ମୋ ସାଙ୍ଗରେ ଆଉ ବେଶୀ କଥାବାର୍ତ୍ତା କରନା, ମାନେ ମାନେ ତୁ ଚୁପ୍ ହୋଇଯା ।’’

 

ଏହା କହି ଦ୍ୱିତୀୟ ମୁହଁଟି ଜିଦିରେ ସେହି ବିଷଫଳଟିକୁ ଖାଇଦେଲା । ଚାହୁଁ ଚାହୁଁ ତାହାରି ବିଷରେ ଭାରଣ୍ଡ ପକ୍ଷୀର ଜୀବ ଛାଡ଼ିଗଲା । ସେ ସେଇଠି ତଳେ ଟଳିପଡ଼ିଲା । ତାହା ସାଙ୍ଗେ ସାଙ୍ଗେ ଦୁଇଟିଯାକ ମୁହଁର ମଧ୍ୟ ଜୀବନ ଶେଷ ହୋଇଗଲା ।

 

ଯେତେ ଜଣ ଥିବ

ଏକାଠି ରହି

ହିଂସା ନ କରିବ

କାହାକୁ କେହି ।

ଏକର ହାନିରେ

ଆନର ହାନି

ଘଟେ ବୋଲି ନିଶ୍ଚେ

ଥିବଟି ଜାଣି ।

ନ ବୁଝି ଏ କଥା

କରେ ଯେ କଳି

ନାହିଁ ମୂର୍ଖ ଆଉ

ତାଠାରୁ ବଳି ।

ଜିଦିରେ ଯେବେ କେ

ଅହନ୍ତା କରେ

ସାଥୀକି ମରାଇ

ଆପେ ସେ ମରେ ।

Image

 

ଖଚୁଆ ବଡ଼ ମିଛୁଆ

 

ଚିତ୍ରରଥ ବୋଲି ଜଣେ ରଜାଥିଲେ । ତାଙ୍କର ଅନେକ ଭଲ ଗୁଣ ଥିଲା । ଗୋଟିଏ ହେଉଛି ଧନଲୋଭ, ଆରଟି ହେଉଛି ପାଖୁଆ ଲୋକଙ୍କ କଥାରେ ବିଶ୍ୱାସ । କିପରି ନାନା ଆଡ଼ୁ ଧନ ଆସି ତାଙ୍କ ଭଣ୍ଡାରଘର ଭରତି ହେବ, ଏଇଆ ଥିଲା ତାଙ୍କର ସବୁବେଳେ ଚିନ୍ତା । ଯେଉଁ ଚାକରମାନେ ତାଙ୍କ ପାଖରେ ବେଶୀ ଚଳପ୍ରଚଳ ହେଉଥିଲେ, ସେମାନଙ୍କ କଥାକୁ ସେ କେବେହେଲେ ବିଶ୍ୱାସ କରୁନଥିଲେ । ସେମାନେ କାହାରି ନାଆଁରେ ଖଚମିଛ କହିଲେ ଚିତ୍ରରଥ ତାକୁ ଗୋଟିପଣେ ସତ ବୁଝୁଥିଲେ ।

 

ଉଆସକୁ ଲାଗି ରାଜାଙ୍କର ଗୋଟିଏ ବଡ଼ ପୋଖରୀ । ତା’ର ପାଣି ଦର୍ପଣ ପରି ନିର୍ମଳ-। ଚାହିଁଦେଲାକ୍ଷଣି ତହିଁରେ ମୁହଁ ଦିଶିଯିବ । ପାଣିତଳେ କେତେ ଜାତିର ଛୋଟ-ବଡ଼ ମାଛ ରହିଥାନ୍ତି କୂଳରେ ଠିଆହୋଇ ଚାହିଁଲେ ଜଣାଯାଏ, ସତେ ଯେମିତି ସେଗୁଡ଼ିକ ଖୁବ୍ ପାଖରେ ଅଛନ୍ତି । ସେହି ପୋଖରୀରେ ହଜାର ହଜାର ପଦ୍ମଫୁଲ ଫୁଟିଥାଏ–କାହାର ରଙ୍ଗ ଧଳା, କାହାର ରଙ୍ଗ ନାଲି, ଆଉ କାହାର ବା ଧଳା-ନାଲି ମିଶା । ସେହି ଫୁଲମାନଙ୍କ ଯୋଗୁ ଜାଗାଟି ଏଡ଼େ ସୁନ୍ଦର ହୋଇଥାଏ ଯେ, ଦେଖିଲେ ଗୋଟିଏ ଛବିଘର ପରି ମନେ ହୁଏ । ପଦ୍ମଫୁଲରେ ଭରା ହୋଇଥିବାରୁ ରଜା ତାହାର ନାଆଁ ଦେଇଥିଲେ ‘ପଦ୍ମପୋଖରୀ’ ।

 

ଦିନେ ଦଳେ ହଂସ ଆକାଶରେ ଉଡ଼ି ଉଡ଼ି ଆସି ପଦ୍ମ ପୋଖରୀରେ ବସିଲେ । ତାହାର ସଫା ପାଣିରେ ଭାରି ମନ ମଉଜରେ ପହଁରିବାକୁ ଲାଗିଲେ । ଥଣ୍ଟରେ ପଦ୍ମନାଡ଼ ଧରି ଏଣେ ତେଣେ କେତେ ଖେଳି ବୁଲିଲେ ।

 

କିଛିଦିନ ଚାଲିଗଲା । ଥରେ ଚିତ୍ରରଥ ପଦ୍ମପୋଖରୀ ଆଡ଼େ ବୁଲିଆସିଲେ । ଘାଟଉପରେ ବସି ଅନେକ ବେଳଯାଏ ପଦ୍ମବଣ ଭିତରେ ହଂସମାନଙ୍କର ପହଁରା ଖେଳ ଦେଖିଲେ । ତାଙ୍କୁ ଭାରି ଭଲ ଲାଗିଲା-

 

ଏହି ସମୟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟନା ଘଟିଲା । ହଠାତ୍ ହଂସାମାନେ ପହଁରିବା ବନ୍ଦ କରିଦେଇ ଏକାସମୟରେ ସମସ୍ତେ ଡେଣା ଝାଡ଼ିଦେଲେ । ଚାହୁଁ ଚାହୁଁ ପ୍ରତ୍ୟେକ ହଂସର ଡେଣାରୁ ଗୋଟିଏ ଲେଖାଏଁ ସୁନାର ପର ଝଡ଼ିପଡ଼ି ପାଣିଉପରେ ଜକ୍ ଜକ୍ ହୋଇ ଭାସିଲା । ତା’ପରେ ଦଳଟିଯାକ ହଂସ ପୁଣି ଖେଳରେ ମାତି ପୋଖରୀର ଏପଟୁ ସେପଟଯାଏ ପହଁରି ବୁଲିଲେ । ଏହା ଦେଖି ରଜା ତାଟକା ହୋଇଗଲେ । ସାଙ୍ଗେ ସାଙ୍ଗେ ଜଗୁଆଳିଙ୍କଦ୍ୱାରା ସେହି ସୁନାପରଗୁଡ଼ିକ ପାଣିରୁ ଉଠାଇଆଣି ଉଆସକୁ ଘେନିଗଲେ ।

 

ଏଣିକି ରଜା ପ୍ରାୟ ନିତି ପଦ୍ମ ପୋଖରୀ ପାଖକୁ ଆସିଲେ । ହଂସମାନଙ୍କ ଆଡ଼କୁ ବରାବର ନିରିଖିକରି ଚାହିଁ ରହିଲେ–କାଳେ ସେମାନଙ୍କ ଡେଣାରୁ ସୁନାପର ଝଡ଼ିବ । ମାତ୍ର ଦେଖାଗଲା, ଠିକ୍ ଛଅମାସ ପରେ ହଂସମାନେ ଆଉ ଥରେ ସୁନାପର ଝାଡ଼ିଲେ । ଏଥର ମଧ୍ୟ ରଜା ସେହି ପରଗୁଡ଼ିକୁ ନେଇ ଉଆସରେ ରଖିଲେ ।

 

ସୁନାପର ପ୍ରତି ରଜାଙ୍କର ଲୋଭ ଦିନକୁ ଦିନ ବଢ଼ିଲା । ତାହା ସଙ୍ଗେ ସଙ୍ଗେ ହଂସଗୁଡ଼ିକ ପ୍ରତି ମଧ୍ୟ ଶ୍ରଦ୍ଧା ବଢ଼ିବାକୁ ଲାଗିଲା । ଠିକ୍ ଛଅମାସ ଯେଉଁ ଦିନ ପୂରେ, ସେଦିନ ସକାଳୁ ଆସି ସେ ପୋଖରୀକୂଳରେ ଜଗିବସନ୍ତି । ହଂସମାନେ ସୁନାପର ଝାଡ଼ିଲେ ସେଗୁଡ଼ିକ ନେଇ ଉଆସକୁ ଫେରନ୍ତି ।

 

ଏହିପରି କେତୋଟି ବର୍ଷ ଗଲା । ଉଆସର ଖଜଣାଖାନା ସୁନାପରରେ ଭରିଯିବାକୁ ଲାଗିଲା । ରଜାଙ୍କ ଆନନ୍ଦ କହିଲେ ନ ସରେ ।

 

ହଂସମାନଙ୍କର କୌଣସି ଡରଭୟ ରହିଲା ନାହିଁ । ସେମାନେ ଭାରି ନିଶ୍ଚିନ୍ତରେ ପଦ୍ମପୋଖରୀରେ ରହିଲେ । ହଠାତ୍ ଦିନେ ପାଣିକୁଆଗୁଡ଼ାଏ କେଉଁଆଡ଼ୁ ଆସି ପୋଖରୀ ଭିତରେ ପହଞ୍ଚିଲେ । ସେମାନଙ୍କୁ ଦେଖି ହଂସମାନେ ପାଟିକରି ଉଠିଲେ । ଏତେ କାଳ ପୋଖରୀରେ ରହି ମଜା ମାରୁଥିଲେ, ଏଣିକି ସେ ସୁଖ ଆଉ ରହିବ ନାହିଁ । କିପରି ପାଣିକୁଆମାନେ ସେଠାରୁ ଚାଲିଯିବେ, ଏଥିପାଇଁ ହଂସଯାକ ସେମାନଙ୍କୁ କହିଲେ–

 

‘‘କଳା କଳାଗୁଡ଼ା କିଏରେ

ତୁମେ ଆସିଲ କାହୁଁ ?

ଜାଣିନ କି କେଉଁ କାଳରୁ

ଆମେ ଏଠାରେ ରହୁ ?

ଦେଇଛନ୍ତି ରଜା ଆମକୁ

ଏଇ ପାଣିରେ ଘର,

ଜଣ ପିଛା ଦେଉଁ ବର୍ଷକେ

ଦୁଇ ସୁନାର ପର ।

ତୁମେସବୁ କାହା ହୁକୁମେ

କହ ଆସିଛ ଏଠି ?

ମଣିମା ଜାଣିଲେ ତୁମର

ଫାଟିଯିବଟି ପିଠି !’’

 

ପାଣିକୁଆମାନେ ହଂସଙ୍କ କଥା ମୋଟେ ମାନିଲେ ନାହିଁ । ଜବରଦସ୍ତି ପୋଖରୀରେ ରହିଲେ । ପାଣି ଭିତରେ ବୁଡ଼ି ମନଇଛା ମାଛ ଖାଇଲେ । ହଂସମାନେ ଯେତେ ତଡ଼ିଲେ ବି ସେମାନେ ସେଠା ଛାଡ଼ି ଚାଲିଯିବାକୁ ଆଦୌ ରାଜିହେଲେ ନାହିଁ । ଶେଷକୁ ଦୁଇ ଦଳଙ୍କ ମଧ୍ୟରେ ଖୁବ୍ ତେଢ଼ାତେଢ଼ି, ରଗାରଗି ଚାଲିଲା ।

 

ସେମାନଙ୍କ ପାଟିଗୋଳ ଶୁଣି ପହରୀମାନେ ସେଠାରେ ଆସି ହାଜର ହୋଇଗଲେ । ପାଣିକୁଆଯାକ ଭାରି ପେଞ୍ଚୁଆ । କାଳେ ପହରାବାଲାଏ ସେମାନଙ୍କୁ ବାଡ଼େଇ ବାହାର କରିଦେବେ, ଏଇ ଡରରେ ସେମାନେ ଏକ ବୁଦ୍ଧି କଲେ । ପ୍ରହରୀମାନଙ୍କୁ ହାତ କରିବାପାଇଁ ସାଙ୍ଗେ ସାଙ୍ଗେ ପୋଖରୀଭିତରୁ ଗୁଡ଼ିଏ ମାଛ ଧରି ସେମାନଙ୍କୁ ଦେଇଦେଲେ । ଏତକ ଲାଞ୍ଚ ପାଇଯିବାରୁ ପହରୀମାନେ ପାଣିକୁଆଙ୍କ ଆଡ଼ିଆ ହୋଇଗଲେ । ହଂସମାନେ ଆଉ କ’ଣ କରିବେ-? ଯେତେବେଳେ ଦେଖିଲେ ରଜାଘର ଲୋକେ ପାଣିକୁଆଙ୍କ ପଟ ନେଇ ସାରିଲେଣି, ବାଧ୍ୟ ହୋଇ ଚୁପ୍ ପଡ଼ିଗଲେ ।

 

Image

 

ପହରୀମାନଙ୍କ ହେମତ ପାଇ ପାଣିକୁଆଏ ଏଣିକି ହଂସମାନଙ୍କୁ ମୋଟେ ଖାତିରି କଲେ ନାହିଁ । ପ୍ରତିଦିନ ସେମାନେ ପହରୀମାନଙ୍କୁ ମାଛ ଦେଇ ପୂରା ଅକ୍ତିଆର କରିନେଲେ । ଶେଷରେ ସେହିମାନଙ୍କୁ ସାଙ୍ଗରେ ନେଇ ଦିନେ ରଜାଙ୍କ ପାଖରେ ପହଞ୍ଚିଲେ । ଏତେଗୁଡ଼ାଏ ପାଣିକୁଆଙ୍କୁ ଦେଖି ରଜା ପହରାବାଲାଙ୍କୁ ପଚାରିଲେ–

 

ଏମାନେ ମୋ ପାଖକୁ କାହିଁକି ଆସିଛନ୍ତି ?’’

ପହରୀମାନେ ରଜାଙ୍କୁ କହିଲେ–

 

‘‘ଏଇ ପାଣିକୁଆଗୁଡ଼ିକ କେତେଦିନ ହେଲା ପଦ୍ମପୋଖରୀରେ ଆସି ରହିଛନ୍ତି । ଆଜି ଛାମୁଙ୍କ ନିକଟରେ କିଛି ଗୁହାରି କରିବାକୁ ଆସିଛନ୍ତି ।’’

 

ଚିତ୍ରରଥ ଗୁହାରି ଜଣାଇବାକୁ ହୁକୁମ ଦେଲେ । ତହୁଁ ପାଣିକୁଆମାନେ ରଜାଙ୍କ ମନ ତରଳେଇଦେବାପାଇଁ ମିଛିମିଛିକା କାନ୍ଦି କାନ୍ଦି କହିଲେ–

 

‘‘ମଣିମା ଆମକୁ ରଖିବେ

ଯେବେ ନ କାଟି ବେକ

କହିବୁଁ ଏ ହଂସଜାତିର

ଯେତେ ଗର୍ବ ଦିମାକ ।

ଛାମୁଙ୍କ ଦୟାରୁ ଅଛନ୍ତି

ପଦ୍ମପୋଖରୀ ଜଳେ,

ତଥାପି ଛାମୁଙ୍କୁ ଖାତର

କରୁ ନାହାନ୍ତି ତିଳେ ।

କହନ୍ତି ସେ–‘ରଜା କିଏ ସେ ?

ଆମେ ମାଲିକ ଏଠି,

ପୋଖରୀର ଜୀବେ ଆମର

ନିତି ଖଟନ୍ତି ବେଠି ।

କିଣିଛୁ ଏ ପଦ୍ମପୋଖରୀ

ଦେଇ ସୁନାର ପର,

ଯାଇଛି ରଜାର ଦଖଲ

ଆମେ ରଜା ଏହାର ।’

ଅସହଣ ହେଲା ଆମର

ଏତେ ଛାମୁଙ୍କ ନିନ୍ଦା,

ମେଳ ବାନ୍ଧି ଦେଲୁଁ ସଭିଏଁ

ତାଙ୍କ କଥାରେ ବାଧା ।

ମାରିବାକୁ ହଂସେ ଆମକୁ

ତହୁଁ ଆସିଲେ ଧାଇଁ;

ପ୍ରାଣ ଘେନି ତେଣୁ ଆସିଲୁଁ

ଛାମୁପାଶେ ପଳାଇ ।

ପହରୀଭାଇଏ ଯେତକ

ସବୁ ଅଛନ୍ତି ଦେଖି,

ଶୁଣିଛନ୍ତି ତାଙ୍କ ଅଭାଷା

ସେଇ ଆମର ସାକ୍ଷୀ ।’’

 

ପାଣିକୁଆଙ୍କ ତୁଣ୍ଡରୁ ଏହା ଶୁଣିସାରିଲାପରେ ରାଜା ପହରୀମାନଙ୍କୁ ପଚାରିଲେ ।

 

‘‘ଏ କଥା କ’ଣ ସତ ? ହଂସଗୁଡ଼ାକ ପ୍ରକୃତରେ କ’ଣ ମୋ ବିରୁଦ୍ଧରେ ଏଭଳି କଥାସବୁ କହୁଛନ୍ତି ?’’

 

ପହରୀମାନେ ହାତଯୋଡ଼ି କହିଲେ !

 

‘‘ହଁ ମଣିମା ! ପାଣିକୁଆଙ୍କ କଥା ପୂରାପୂରି ସତ । ହଂସମାନଙ୍କର ଏବେ ଭାରି ଗର୍ବ ହୋଇଯାଇଛି । ସେମାନେ ଛାମୁଙ୍କୁ ମୋଟେ ମାନୁ ନାହାନ୍ତି ।’’

 

ଚିତ୍ରରଥ ରାଗରେ ପାଚିଗଲେ । ସାଙ୍ଗେ ସାଙ୍ଗେ ପହରୀମାନଙ୍କୁ ଚାହିଁ କହିଉଠିଲେ !

 

‘‘ମୋରି ରାଜ୍ୟରେ ରହି, ମୋରି ପାଣିପବନରେ ବଢ଼ି, ମତେ ପୁଣି ନିନ୍ଦା କରୁଛନ୍ତି ! ଜାଣିଲି, ଏ ହଂସଗୁଡ଼ାଙ୍କର ଭାରି ମୁହଁ ବଢ଼ିଯାଇଛି । ଆଚ୍ଛା ରହ ଟିକିଏ ହଂସସବୁ, ତୁମ ଦିମାକ ଛଡ଼େଇ ଦେଉଛି ! ତୁମେ ଯେତେ ପହରୀ ଅଛ, ମୋ ହୁକୁମ ମାନି ଏହିକ୍ଷଣି ଯାଅ, ଯେତେ ହଂସ ପଦ୍ମ ପୋଖରୀରେ ଅଛନ୍ତି ସମସ୍ତଙ୍କୁ ପିଟି ମାରିଦିଅ ।’’

 

‘‘ଯେ ଆଜ୍ଞା’’ କହି ପହରୀମାନେ ଠେଙ୍ଗା ବାଡ଼ି ଧରି ପୋଖରୀକି ଦୌଡ଼ିଲେ । ପାଣିକୁଆଙ୍କ ମନ କୁଣ୍ଢେମୋଟ ହୋଇଗଲା । ପହରୀମାନେ ସେମାନଙ୍କ ଉପରକୁ ମାଡ଼ି ଆସୁଥିବାର ଦେଖି ହଂସଯାକ ଭିତିରି କଥାଟା ଠଉରାଇନେଲେ । ନିଜନିଜଭିତରେ କଥାବାର୍ତ୍ତା ହୋଇଯାଇ ସେଇଲାଗେ ପୋଖରୀ ଛାଡ଼ି ଦୂରକୁ ଉଡ଼ିଗଲେ । ଗଲାବେଳେ ସେମାନେ ଶୂନ୍ୟରେ ଥାଇ ଚିତ୍ରରଥଙ୍କୁ କହିଲେ ।

 

‘‘ନିର୍ବୁଦ୍ଧିଆ ତୁମେ

ଅବୁଝା ରଜା,

ପାଖଲୋକେ ତେଣୁ

ମାରନ୍ତି ମଜା ।

ପାଣିକୁଆ ଜାତି

ବଡ଼ ଖଚୁଆ,

ଲାଞ୍ଚୁଆ ପହରୀ

ତହୁଁ ମିଛୁଆ ।

ପହରୀଙ୍କୁ ଦେଇ

ମାଛର ଲାଞ୍ଚ

ପାଣିକୁଆଯାକ

କରିଲେ ପାଞ୍ଚ ।

ଆମ ନାଁରେ ଆସି

ଫୋଡ଼ିଲେ ଖଚ,

ବୁଝ ଏ କଥାଟି

ସତ କି ମିଛ ।

ବୃଥାରେ ଆମର

ମାଇଲ ଦାନା,

ବଢ଼ିବଟି ଆଉ

ଖଜଣାଖାନା ?

 

ଚିତ୍ରରଥ ଏବେ ନିଜର ଭୁଲ୍‌ ବୁଝିପାରିଲେ । ବିନା ଦୋଷରେ ଉପକାରୀ ହଂସମାନଙ୍କପ୍ରତି ଅବିଚାର କରି ନିଜର କ୍ଷତି ଘଟାଇଲେ । ତାଙ୍କୁ ଆଉ ସୁନାପର ମିଳିଲା ନାହିଁ, କି ଖଜଣାଖାନା ବଢ଼ିପାରିଲା ନାହିଁ । ଏଥିପାଇଁ ସେ ବହୁତ ପସ୍ତେଇହେଲେ ।

 

ଦୁଇ ରାକ୍ଷସଙ୍କ କଳି

 

ହିମାଳୟ ପର୍ବତର ଗୋଟିଏ ଶୃଙ୍ଗର ନାଆଁ କୈଳାସ । ଶିବ ସେହିଠାରେ ପାର୍ବତୀଙ୍କ ସହିତ ରହନ୍ତି । ସେ ବଡ଼ ଭୋଳା ଦେବତା । ମନ ହେଲାକ୍ଷଣି ସାଙ୍ଗେ ସାଙ୍ଗେ ବର ଦେଇପକାନ୍ତି । ଆଗପଛ କିଛି ବିଚାର କରନ୍ତି ନାହିଁ । ତାଙ୍କୁ ତପସ୍ୟାରେ ଖୁସି କରିବା ମଧ୍ୟ ସହଜ ।

ଥରେ ଦୁଇ ଜଣ ରାକ୍ଷସ ଶିବଙ୍କଠାରୁ ବର ପାଇବାପାଇଁ ଇଚ୍ଛା କଲେ । ଦୁହେଁଯାକ ସାଙ୍ଗ ହୋଇ କୈଳାସ ଶୃଙ୍ଗକୁ ଗଲେ । ସେଠାରେ ଥିବା ଜଙ୍ଗଲର ଗୋଟିଏ ନିକାଞ୍ଚନ ଜାଗାରେ ବସି ଶିବଙ୍କୁ ତପସ୍ୟା କଲେ । ମାସେ ନୁହେଁ; କି ଦୁଇ ମାସ ନୁହେଁ, ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ; ପୂରା ଚାରି ବର୍ଷ କଟିଗଲା । ରାକ୍ଷସ ଦୁହେଁ ସେହିପରି ତପସ୍ୟାରେ ବସିରହିଥାନ୍ତି ।

ହଠାତ୍‌ ଦିନେ ରାକ୍ଷସ ଦୁହିଁଙ୍କ କଥା ଶିବଙ୍କର ମନେପଡ଼ିଗଲା । ଏତେ କାଳ ହେଲା ତପସ୍ୟା କଲେଣି, ଆଉ ବେଶୀ ଦିନ ସେଦୁହିଁଙ୍କୁ କଷ୍ଟ ଦେବା ଉଚିତ ନୁହେଁ ବୋଲି ଶିବ ଭାବିଲେ । ତହୁଁ ସେ ରାକ୍ଷସଙ୍କ ପାଖକୁ ଆସି କହିଲେ ।

‘‘ବର୍ଷ ବର୍ଷ ହେଲା

କଲଣି ତପ

ଦିନ ରାତି କର

ମୋ ନାମ ଜପ ।

ସହିଲଣି ପୁଣି

କଷ୍ଟ ବହୁତ

ତାହା ଦେଖି ମୋର

ତରଳେ ଚିତ୍ତ ।

ଯାହା ଇଚ୍ଛା ଏବେ

ମାଗୁଣି କର,

ଆନନ୍ଦେ ଦୁହିଁଙ୍କୁ

ଦେବି ମୁଁ ବର।’’

 

ରାକ୍ଷସଦୁହେଁ ତପସ୍ୟାରୁ ଉଠି ଶିବଙ୍କ ପାଦତଳେ ମୁଣ୍ଡିଆ ମାଇଲେ । ଖିଆପିଆ ଭୁଲିଯାଇ ଚାରି ବର୍ଷ କାଳ ତପସ୍ୟାରେ ବସିରହିଥିବା ଯୋଗୁ ତାଙ୍କର ଦେହ ଝୋଲା ମାରିଯାଉଥାଏ । ଭୋକରେ ପେଟ ଜଳୁଥାଏ । ସହଜେ ତ ରାକ୍ଷସ, ଖାଇବା ଚିନ୍ତା ତାଙ୍କର ଆଗ । ତେଣୁ ବଡ଼ କଥା ସେତେବେଳେ ତାଙ୍କ ମୁଣ୍ଡକୁ କିଛି ଆସିଲା ନାହିଁ । କିପରି ପହିଲେ ଖାଇବେ, ସେହି କଥା ଦୁହେଁ ବିଚରା ବିଚରି ହୋଇ ଶିବଙ୍କୁ ବର ମାଗିଲେ ।

 

‘‘ଭୋକେ ଆମେ ମୁହଁ

ପଡ଼ିଛି କଳା,

ମେଣ୍ଟାଇବୁଁ ଆଗ

ପେଟର ଜାଳା ।

ତୁମେ ପ୍ରଭୁ, ଖୁସି

ହୋଇଛ ଯେବେ

ପାର୍ବତୀଙ୍କୁ ଆଣି

ଦିଅ ହେ ଏବେ ।

ଲୋଡ଼ା ନାହିଁ ଆଉ

ଆମର କିଛି,

ଏହି ବର ଆମେ

ନେଇଛୁଁ ବାଛି ।’’

 

ଶିବ ଭାରି ଅଡ଼ୁଆରେ ପଡ଼ିଲେ । ରାକ୍ଷସଦୁଇଟା ବଡ଼ ଦୁଷ୍ଟ । ତାଙ୍କର ଭିତିରି ଉଦ୍ଦେଶ୍ୟ ନ ବୁଝି ଯେକୌଣସି ବର ମାଗିନେବାକୁ କହିଦେଇଥିବାରୁ ସେ ଏବେ ପସ୍ତେଇହେଲେ । ମାତ୍ର କରିବେ କ’ଣ ? ଯେତେବେଳେ ବର ଦେବାକୁ ସତ୍ୟ କରିସାରିଛନ୍ତି, ମନାକରିବେ କିପରି ! ବାଧ୍ୟହୋଇ ପାର୍ବତୀଙ୍କୁ ଆଣି ରାକ୍ଷସ ଦୁହିଁଙ୍କୁ ଦେଲେ । ତା’ପରେ ସେଠାରୁ ସେ ଚାଲିଗଲେ ।

 

Image

 

ଦୁଇ ରାକ୍ଷସ ଏବେ ଆନନ୍ଦରେ କୁରୁଳିଉଠିଲେ । ପାର୍ବତୀଙ୍କୁ ଖାଇ ପେଟ ଭରିବାପାଇଁ ଉଭୟଙ୍କ ଜିଭ ଲହଲହ ହେବାକୁ ଲାଗିଲା । ମାତ୍ର କିଏ ଖାଇବ ? ଦୁହିଁଙ୍କ ଭିତରେ କଳି ଆରମ୍ଭ ହୋଇଗଲା । ଜଣେ କହିଲା ‘‘ ମୁଁ ଖାଇବି’’, ଆର ଜଣକ କହିଲା ‘‘ମୁଁ ଖାଇବି ।’’ ଏହା ଦେଖି ପାର୍ବତୀ ସେ ଦୁହିଁଙ୍କୁ କହିଲେ ।

 

‘‘ମତେ ଖାଇବ ବୋଲି ତ ଶିବଙ୍କଠାରୁ ବର ଆଣିଲ, ଏବେ କଳି କରୁଛ କାହିଁକି ? ସାଙ୍ଗ ହୋଇ ତପସ୍ୟା କରିବାକୁ ଆସି ନିଜଭିତରେ ଏପରି ଝଗଡ଼ା କରିବା ସୁନ୍ଦର ହେଉ ନାହିଁ । ବିବାଦ ହେଲେ ମଧ୍ୟସ୍ଥ ବଛାଯାଏ । ତୁମେ ଦୁହେଁ ସେହିପରି ଜଣେ ଭଲଲୋକ ବାଛି ତାଙ୍କର ଆଗରେ କଥାଟା ପକାଇଦିଅ । ସେ ଦୁଇ ପକ୍ଷର କଥା ଶୁଣି ଯାହା ନ୍ୟାୟ କରିଦେବେ, ସେହି ଅନୁସାରେ ମୋର ମାଂସ ଖାଇବ ।’’

 

ପାର୍ବତୀଙ୍କ କଥା ରାକ୍ଷସଦୁହେଁ ମାନି ଜଣେ ନ୍ୟାୟବକ୍ତ ଲୋକ ଖୋଜିବାକୁ ବାହାରିଲେ-। ଏଥି ମଧ୍ୟରେ ଶିବ ଗୋଟିଏ ବ୍ରାହ୍ମଣର ବେଶ ଧରି ସେହି ବାଟ ଦେଇ ଆସିଲେ । ବ୍ରାହ୍ମଣ ନିଶ୍ଚୟ ନ୍ୟାୟବନ୍ତ ଲୋକ ହୋଇଥିବ, ଏହା ଭାବି ଦୁଇ ରାକ୍ଷସ ତାକୁ ମଧ୍ୟସ୍ଥ ମାନିବାକୁ ଠିକ୍‌ କଲେ । ତା’ପରେ ପାର୍ବତୀଙ୍କୁ ଘେନି ତାହାରି ପାଖକୁ ଯାଇ କହିଲେ–

 

‘‘ହେ ବ୍ରାହ୍ମଣ ! ତୁମକୁ ଅନ୍ୟ ଜାତିର ଲୋକେ ଦେବତାଭଳି ମାନିଥାନ୍ତି । ତୁମେ କେବେ ହେଲେ କାହାରିପ୍ରତି ଅନ୍ତରପାନ୍ତର କର ନାହିଁ । ସମସ୍ତଙ୍କୁ ସମାନ ଆଖିରେ ଦେଖି ଯାହା ଉଚିତ ତାହା କୁହ । ଏବେ ଆମ ଦୁଇଜଣଙ୍କ ମଧ୍ୟରେ ଗୋଟାଏ କଥା ଛିଣ୍ଡିପାରୁ ନାହିଁ । ପାର୍ବତୀଙ୍କୁ ଆମଭିତରୁ କିଏ ଖାଇବ ତାହା ତୁମେ ଠିକ୍‌ କରିଦିଅ । ଆମେ ଭୋକରେ ଅଥୟ ହୋଇଯାଉଛୁଁ । ବେଶୀ ସମୟ ଅପେକ୍ଷା କରିପାରିବୁ ନାହିଁ ।’’

 

ଏହାଶୁଣି ବ୍ରାହ୍ମଣ କହିଲା–

 

‘‘ଏ ତ ଗୋଟାଏ ଅତି ସାମାନ୍ୟ କଥା । ଏଥିପାଇଁ ଏତେ କଳିତକରାଳ କାହିଁକି ? ତୁମେ ଦୁହେଁ ଆପଣା ଆପଣା ଭିତରେ ଏ ଏକଥାଟି ଖୁବ୍‌ ସହଜରେ ଛିଣ୍ଡେଇଦେଇ ପାରିଥାନ୍ତ । ଯାହା ନଖରେ ଛିଣ୍ଡିଯିବ, ସେଥିପାଇଁ ମିଛରେ କୁରାଢ଼ି ଖୋଜିବୁଲୁଛ ସିନା ! ଭୋକବେଳେ ହଠାତ୍‌ ବୁଦ୍ଧି ଆସେ ନାହଁ । ସେଥିପାଇଁ ତୁମେ ଠିକ୍‌ ନିଷ୍ପତ୍ତି କରିପାରିଲ ନାହିଁ । ଆଚ୍ଛା ହେଉ, ଏବେ ମୁଁ ନିଷ୍ପତ୍ତିର ବାଟ ବତାଇଦେଉଛି । ଦୁହେଁଯାକ ତୁମେ ବଳୁଆ । କଥାରେ ଅଛି, ‘ଜୋର୍‌ ଯାର ମୁଲକ ତାର’ । ତେଣୁ ତୁମ ଦୁହିଁଙ୍କ ଭିତରୁ ଯାହାର ବଳ ବେଶୀ, ସେଇ କେବଳ ପାର୍ବତୀଙ୍କୁ ଖାଇବ । ବଳରେ ଯେ ହାରିଯିବ, ତା’ର ପାର୍ବତୀଙ୍କ ଉପରେ କୌଣସି ଅଧିକାର ରହିବ ନାହଁ ।’’

 

ବ୍ରାହ୍ମଣର ଏ ନ୍ୟାୟ ଦୁଇ ରାକ୍ଷସଙ୍କ ମନକୁ ଖୁବ୍‌ ପାଇଲା । ତହୁଁ ସେ ଦୁହେଁ ସାଙ୍ଗେ ସାଙ୍ଗେ ଖଣ୍ଡା କାଢ଼ି ବଳ କଷାକଷି ହେବାକୁ ବସିଲେ । ଦୁହିଁଙ୍କ ଭିତରେ ଚାହୁଁ ଚାହୁଁ ଲଢ଼େଇ ଆରମ୍ଭ ହୋଇଗଲା । ପ୍ରତ୍ୟେକେ ଅନ୍ୟକୁ ହଟାଇଦେବାପାଇଁ ପ୍ରାଣପଣେ ଲାଗିପଡ଼ିଲେ । ବ୍ରାହ୍ମଣତ ନିଜେ ଶିବ, ସେ ଲଢ଼େଇଟି ଲଗେଇ ଦେଇ ମନେ ମନେ ଖୁବ୍‌ ହସୁଥାନ୍ତି ।

 

ବେଳକୁ ବେଳ ଲଢ଼େଇ ବଡ଼ ପ୍ରବଳ ହେଲା । ପାର୍ବତୀଙ୍କୁ ଖାଇବା ଲୋଭରେ ଦୁଇ ରାକ୍ଷସଯାକ ଖୁବ୍‌ ଜୋରରେ ଖଣ୍ଡା ବୁଲେଇଲେ । ଏହପରି କିଛି ସମୟ ମୁହାଁ ମୁହିଁ ଖଣ୍ଡାଯୁଦ୍ଧ ଲାଗିଲାପରେ ହଠାତ୍‌ ଦୁହିଁଙ୍କ ବେକରେ ଖଣ୍ଡାଚୋଟ ଗଳିଗଲା । ଦେଖୁ ଦେଖୁ ଦୁଇ ରାକ୍ଷସଯାକ ଏକାବେଳକେ ଟଳିପଡ଼ିଲେ । ୟା ଖଣ୍ଡାରେ ତା’ ବେକ ଦୁଇ ଗଡ଼ ହୋଇଗଲା, ତା’ ଖଣ୍ଡାରେ ୟା ବେକ ଦୁଇ ଗଡ଼ ହୋଇଗଲା । ଦୁହିଁଙ୍କି ଦୁହେଁ ମରି ତଳେ ଶୋଇ ରହିଲେ ।

 

ଏହି ସମୟରେ ବ୍ରାହ୍ମଣଟି ସେଠାରୁ କୁଆଡ଼େ ଉଭାନ ହୋଇଗଲା । ତା’ ଜାଗାରେ ନିଜେ ଶିବ ହସି ହସି ଉଭା ହୋଇଗଲେ । ତାଙ୍କୁ ଦେଖି ପାର୍ବତୀଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ-। ସ୍ୱାମୀ ଯେ ରାକ୍ଷସ ଦୁହିଁଙ୍କୁ ମରାଇବା ଲାଗି ଏତେ ମାୟା ଭିଆଇଥିଲେ, ଏତେବେଳେକେ ସେ ତାହା ଜାଣିପାରିଲେ ।

 

ଶିବ ତା’ପରେ ପାର୍ବତୀଙ୍କୁ ସାଙ୍ଗରେ ଘେନି କୈଳାସକୁ ଫେରିଗଲେ । ବାଟରେ କହିଲେ–

 

‘‘ବଳୁଆଙ୍କ ମଧ୍ୟେ

ଲଢ଼େଇ ହେଲେ

ଏହିପରି ଫଳ

ଶେଷରେ ଫଳେ ।

ଆପୋଷ ବଣ୍ଟାରେ

ନୋହିଲେ ରାଜି

ଜ୍ଞାନ ବୁଦ୍ଧି ସବୁ

ଯାଏଟି ହଜି

ଲୋଭେ ଯଦି କଳି

ନ ଥାନ୍ତେ କରି

ରାକ୍ଷସ ଦୁହେଁ କି

ଥାଆନ୍ତେ ମରି ?’’

Image

 

ଚାରି ବନ୍ଧୁ

 

ପାଣିରେ ଥିଲା କଇଁଛ, ଗାତରେ ଥିଲା ମୂଷା, ଗଛରେ ଥିଲା କୁଆ । କଅଁଳ ଗାଧୁଆ ବେଳ । କଇଁଛ ଗାଡ଼ିଆଭିତରୁ ଉଠିଆସିଲା, ମୂଷା ଗାତରୁ ବାହାରିପଡ଼ିଲା, କୁଆ ଗଛରୁ ତଳକୁ ଉଡ଼ିଆସିଲା । ତିନି ସାଙ୍ଗ ପୋଖରୀ ପାଖରେ ବସି ମୁହଁକୁ ମୁହଁ ଯୋଡ଼ି କଥାବାର୍ତ୍ତା ହେବାକୁ ଲାଗିଲେ ।

 

ଏହି ସମୟରେ ତାଙ୍କ ଆଡ଼କୁ କିଏ ଗୋଟାଏ ଜୋରରେ ଦୌଡ଼ିଆସୁଥିଲା ପରି ଦୂରରୁ ଶବ୍ଦ ଶୁଭିଲା । ତିହ୍ନିଙ୍କି ତିହ୍ନିଏ ତରକା । ସାଙ୍ଗେ ସାଙ୍ଗେ କଇଁଛ ଡଗଡଗ ହୋଇ ପାଣିକି ପଳେଇଲା, ମୂଷା ତରତର ହୋଇ ଗାତଭିତରେ ପଶିଲା, କୁଆ ଉଡ଼ିଯାଇ ଗଛ ଡାଳରେ ବସିଲା ।

 

ସତକୁ ସତ ଟିକକ ପରେ ଗୋଟାଏ ହରିଣ ଅଣନିଶ୍ୱାସୀ ହୋଇ ସେହିଆଡ଼କୁ ଦୌଡ଼ି ଦୌଡ଼ି ଆସିଲା । କୁଆର ପହିଲେ ହରିଣ ଉପରେ ନଜର ପଡ଼ିଲା । ସେ ଗଛ ଡାଳରେ ଥାଇ କଇଁଛକୁ ଡାକି କହିଲା–

 

‘‘ଭଗାରି ନୁହଇ କେହି

ହରିଣ ଆସେ,

ଜଣାଯାଏ,ତଣ୍ଟି ତାର

ଶୁଖଇ ଶୋଷେ ।

ପିଇବ ଗଡ଼ିଆ-ପାଣି

କରିଛି ମନ,

ଡରିବାର ତେଣୁ ବନ୍ଧୁ,

ନାହିଁ କାରଣ ।’’

 

ଚାହୁଁ ଚାହୁଁ ହରିଣଟି ଗଡ଼ିଆ କୂଳରେ ଆସି ପହଞ୍ଚିଗଲା । ତା’ର ଚଙ୍ଗଚଙ୍ଗିଆ ଢଙ୍ଗ ଦେଖି କଇଁଛର ଗୋଟାଏ ସନ୍ଦେହ ହେଲା । କୁଆକଥା ଶୁଣିଲେ ବି ତା’ ମନରୁ ଭୟ ତୁଟିଲା ନାହିଁ-। ସେ କୁଆକୁ କହିଲା–

 

‘‘ମିତ ! ତୁମେ ଯାହା କହିଲ ତାହା ସତ ହୋଇଥିବ ବୋଲି ମୋର ପ୍ରତେ ହେଉ ନାହିଁ । ଏଇଟା କଅଁଳ ଗାଧୁଆ ବେଳ, ଏଡ଼େ ଚଞ୍ଚଳ ହରିଣକୁ ଶୋଷ ହେବାର ନୁହେଁ । ଯଦି ବା ଶୋଷ ହେଲା, ସେ ଏଭଳି ଧଇଁସଇଁ ହୋଇ ଦୌଡ଼ୁଛି କାହିଁକି ? କେବଳ ସେତିକି ନୁହେଁ, ସେ ଥରକୁ ଥର ପଛକୁ ଅନାଇ ଏତେ କନକନ କାହିଁକି ହେଉଛି ? ଏସବୁ ତ ଶୋଷର ଲକ୍ଷଣ ନୁହେଁ ! ମୋର ମନେହେଉଛି, ନିଶ୍ଚୟ ଗୋଟାଏ ବାଣୁଆ ହରିଣ ପଛରେ ଗୋଡ଼ାଇଛି । ସେଥିପାଇଁ ହରିଣ ପ୍ରାଣବିକଳରେ ଏପରି ଦୌଡ଼ୁଛି ।’’

 

ହରିଣ ଗଡ଼ିଆ କୂଳରେ ପହଞ୍ଚିଲା ବେଳେ କୁଆ ଆଉ କଇଁଛର କଥାବାର୍ତ୍ତା ତା’ କାନରେ ପଡ଼ିଲା । ସେ ଭାରି ବ୍ୟସ୍ତହୋଇ କହିଲା–

 

‘‘ମିଛ ନୁହେଁ ଅନୁମାନ

ତୁମର ଭାଇ !

ଧାଏଁ ମୁଁ ବାଣୁଆ-ଡରେ

ଆତୁର ହୋଇ ।

କାହିଁ ଯିବି ବୋଲି ଆଉ

ନ ଦିଶେ ରାହା,

ପଶୁଛି ଶରଣ, ଏବେ

ହୁଅ ହେ ସାହା ।

କହିଦିଅ କେଉଁ ଥାନେ

ଲୁଚିବି ଯାଇ,

ବାଣୁଆ ଯେମନ୍ତ ମତେ

ଦେଖିବ ନାହିଁ ।’’

 

କୁଆ ଗଛରୁ ଉଡ଼ିଯାଇ ଅନେକ ଦୂରକୁ ଚାଲିଗଲା । ଚାରିଆଡ଼େ ଆଖି ପକାଇ ପକାଇ ପୁଣି ଗଡ଼ିଆ କୂଳକୁ ଫେରିଆସି ହରିଣକୁ କହିଲା–

 

‘‘ମୁଁ ଏବେ ଦେଖିଆସିଲି, ବାଣୁଆ ତୁମକୁ ଏଣେ ତେଣେ ଖୋଜି ଖୋଜି କେଉଁଠି ନ ପାଇ ଶେଷରେ ଆଉ ଗୋଟାଏ ରାସ୍ତାରେ ଚାଲିଯାଉଛି । ତେଣୁ ଡର ଛାଡ଼ି ଏଥର ସମସ୍ତେ ଏଇ ଗଛ ଛାଇରେ ବସି କଥାବାର୍ତ୍ତା କରିବା ।’’

 

କଇଁଛ ଏହା ଶୁଣି ଉପରକୁ ଆସିଲା, ମୂଷା ଗାତ ଭିତରୁ ବାହାରି ପଡ଼ିଲା । ତା’ପରେ ଚାରିହେଁ ଯାକ ଗଛ ଛାଇକି ଚାଲିଗଲେ । କେତେବେଳଯାଏ ସେଠି କଥାଭାଷା ହେଲେ ।

 

କୁଆ, କଇଁଛ, ମୂଷା ଆଗରୁ ଏହି ତିନି ବନ୍ଧୁ ଥିଲେ । ଏବେ ହରିଣ ତାଙ୍କ ସାଙ୍ଗରେ ମିଶିଲା । ସେହି ଦିନଠାରୁ ଚାରିବନ୍ଧୁ ଗଡ଼ିଆକୂଳରେ ଜଙ୍ଗଲରେ ପାଖ ପାଖ ହୋଇ ରହିଲେ । ଦିନଯାକ ଯେଝା ଧନ୍ଦାରେ ଯେ କୁଆଡ଼େ ଯାଆନ୍ତି, ସଞ୍ଜ ହେଲେ ସେଠାକୁ ଫେରି ଗଛମୂଳେ ଏକାଠି ହୁଅନ୍ତି । ରାତି ଦୁଇଘଡ଼ି ଯାଏ ଖୁସିଗପ କରି ଆନନ୍ଦରେ ସମୟ କଟାଇଦିଅନ୍ତି ।

 

କିଛି କାଳ ସୁଖରେ ଚାଲିଗଲା । ଦିନେ ସଞ୍ଜବେଳେ କୁଆ, କଇଁଛ, ମୂଷା ଏକାଠି ହେଲେ; ମାତ୍ର ହରିଣର ଦେଖାମିଳିଲା ନାହିଁ । ତିନିବନ୍ଧୁ ହରିଣପାଇଁ କେତେ ଭାଳେଣି କଲେ । ଆହା, ସେ ଆଜି କୁଆଡ଼େ ରହିଲା ? ଏତେ ବେଳଯାଏ କାହିଁକି ଆସିଲା ନାହିଁ ? ତାହାହେଲେ ସେ ନିଶ୍ଚୟ କୌଣସି ବାଣୁଆର ଜାଲରେ ପଡ଼ିଗଲା । ତା’ ନୋହିଲେ ବାଘ କି ସିଂହ ତାକୁ ନିଶ୍ଚୟ ଖାଇଗଲା । ଏହିପରି କେତେ କ’ଣ ଭାବି ତିନି ବନ୍ଧୁ ବଡ଼ ଦୁଃଖରେ ରାତିଟା କଟାଇଲେ ।

 

ସକାଳ ନ ହେଉଣୁ କୁଆ ଗଛକୁଗଛ ଉଡ଼ିଉଡ଼ି ଜଙ୍ଗଲଟା ଯାକ ତଲାସିଗଲା । ଶେଷରେ ଗୋଟିଏ ଜାଗାରେ ଦେଖିଲା ହରିଣ ମିତ ସତକୁ ସତ ବାଣୁଆ-ଜାଲରେ ପଡ଼ିଯାଇଛି । କୁଆ ତଳକୁ ଓହ୍ଲାଇ ହରିଣ ପାଖରେ ପହଞ୍ଚିଲା । ତାକୁ ଦେଖି ହରିଣ ଆଖିରୁ ଲୁହ ଝରାଇ କହିଲା-:–

 

‘‘ବାଣୁଆ ଆସିବା ବେଳ

ହେଲା ନିକଟ,

ଭାଗ୍ୟବଶୁଁ ତୁମ ସାଙ୍ଗେ

ହୋଇଲା ଭେଟ ।

କି କରିବି, ତୁଣ୍ଡେ ଆଉ

କିଛି ନ ଆସେ,

କରିଛି ଯା ଦୋଷ ତୁମ

ତିନିଙ୍କ ପାଶେ,

କ୍ଷମା ଦେବ ସେଥିପାଇଁ

ତିନି ମଇତ୍ର,

ମଲାବେଳେ ଅଳି ମୋର

ଏତିକି ମାତ୍ର ।’’

 

କୁଆ ଏହା ଶୁଣି ହରିଣକୁ ବୋଧ ହେଇ କହିଲା–

 

‘‘ଏ କ’ଣ ମିତ ! ଏପରି ଅଧୈର୍ଯ୍ୟ ହେଉଛ କାହିଁକି ? ଆମେ ଥାଉ ଥାଉ ତୁମକୁ ବାଣୁଆ କି କେବେହେଲେ ଧରି ନେଇପାରେ ? ମୁଁ ଯାଉଛି, ଏଇକ୍ଷଣି ମୂଷା ମଇତ୍ରକୁ ଘେନି ଏଠାକୁ ଆସିବି । ବାଣୁଆ ଆସିବା ଆଗରୁ ସେ ଜାଲ କାଟି ତୁମକୁ ଉଦ୍ଧାର କରିଦେବ ।’’

 

ଏହା କହି କୁଆ ଉଡ଼ିଗଲା । ଗଡ଼ିଆ ପାଖରେ ପହଞ୍ଚି ମୂଷା ଓ କଇଁଛକୁ ଖବର କହିଲା-। ତା’ପରେ ମୂଷାକୁ ପିଠିରେ ବସାଇ ଉଡ଼ି ଉଡ଼ି ପୁଣି ହରିଣ ପାଖକୁ ଫେରିଆସିଲା । ସାଙ୍ଗେ ସାଙ୍ଗେ ମୂଷା ଜାଲଟାକୁ ଦାନ୍ତରେ କାଟି ଖଣ୍ଡ ଖଣ୍ଡ କରିବାରେ ଲାଗିଗଲା ।

 

ଏତିକିବେଳେ କଇଁଛ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଲା । ତାକୁ ଦେଖି କୁଆ କହିଲା–

 

‘‘ଆହା, ତୁମେ ଏ ବିପଦ-ଜାଗାକୁ କାହିଁକି ଆସିଲ ? ବାଣୁଆ ଯଦି ଚାଲି ଆସିବ, ତାହାହେଲେ ତୁମ ଅବସ୍ଥା କ’ଣ ହେବ କହିଲା ? ମୁଁ ଗଛ ଉପରକୁ ଉଡ଼ିଯିବି, ମୂଷା ମଇତ୍ର ଗାତ ଦେଖି ତହିଁରେ ପଶିଯିବେ, ହରିଣ ମଇତ୍ର କୁଆଡ଼େ ହେଲେ ଦୌଡ଼ିପଳେଇବେ; କିନ୍ତୁ ତୁମେ କୁଆଡ଼େ ଯିବ କହିଲ ? ତେଣୁ ମୋ କଥା ମାନି ଅତି ଶୀଘ୍ର ଏଠୁ ପଳା ।’’

 

ଏହା ଶୁଣି କଇଁଛ କହିଲା–

 

‘‘କି କଥା କହୁଛ ମିତ ? ହରିଣ ମଇତ୍ର ଏଭଳି ବିପଦରେ ପଡ଼ିଛନ୍ତି । ତୁମେ ଦୁହେଁ ତାଙ୍କୁ ମୁକୁଳାଇବାକୁ ଏଠାକୁ ଆସିଛ । ଏକାଟିଆ ଘରେ ରହିବାକୁ ମୋର ଭଲା କେମିତି ମନ ହେବ ? ମୁଁ ପାଖରେ ଥିଲେ କାଳେ କିଛି କାମରେ ଆସିବି, ଏଇଆ ଭାବି ଚାଲିଆସିଲି । ମତେ ମରିବା ଯୋଗ ଥିଲେ ମୁଁ ମରିବି, ସେଥିରେ ମୋର ଦୁଃଖ ନାହିଁ । ମାତ୍ର ହରିଣ ମଇତ୍ରଙ୍କୁ ଜାଲରୁ ଉଧୁରିବାର ଦେଖି ଏଠି ଯେଉଁ ସୁଖ ପାଇବି, ଘରେ ଥିଲେ ତାହା କିପରି ପାଆନ୍ତି ?’’

 

ଏହିପରି କଥା ହେଉ ହେଉ ବାଣୁଆ ଆସି ପହଞ୍ଚିଗଲା । ମୂଷା ଜାଲଟାକୁ କାଟି ସାରିଥାଏ । ବାଣୁଆକୁ ଦେଖି ଚଟ୍‌କିନା କୁଆ ଗଛଡାଳକୁ ଉଡ଼ିଗଲା । ମୂଷା ଗୋଟାଏ ଗାତଭିତରେ ଗଳିଗଲା । ହରିଣ ମଧ୍ୟ ତା’ ଲମ୍ବା ଗୋଡ଼ରେ କୁଦା ମାରି ଜଙ୍ଗଲଭିତରକୁ ପଶିଗଲା-। କଇଁଛ ବିଚରା ତା’ ଛୋଟ ଛୋଟ ଗୋଡ଼ରେ ମୋଟେ ଦଶ କୋଡ଼ିଏ ହାତ ଯାଇଛି କି ନାହିଁ, ବାଣୁଆ ତାକୁ ଯାଇ ଧରିପକାଇଲା । ହରିଣ ଖସି ପଳାଇଲା । ଜାଲଟା ବି ଖଣ୍ଡ ଖଣ୍ଡ ହୋଇ ଛିଡ଼ିଗଲା । ଏବେ ଘରପୋଡ଼ିରୁ ଯେଉଁଟି ମିଳିଲା, ସେଇଟିକୁ ସାର ! ଏହା ଭାବି ବାଣୁଆ କଇଁଛକୁ ଖଣ୍ଡେ ଛୋଟିଆ, ମୁଣାରେ ବାନ୍ଧି କାନ୍ଧରେ ପକାଇ ଗଡ଼ିଆ ବାଟ ଦେଇ ଘରକୁ ଫେରିଲା ।

 

Image

 

ଗୋଟିଏ ବନ୍ଧୁ ମରଣମୁହଁରୁ ବଞ୍ଚିଲାବେଳକୁ ଆଉ ଗୋଟିଏ ବନ୍ଧୁ ମରଣମୁହଁକୁ ଗଲା । ଏହା ଦେଖି କୁଆ ପୁଣି ଏକ ଉପାୟ ପାଞ୍ଚିଲା । ସେ ହରିଣକୁ କହିଲା–

 

‘‘ବାଣୁଆ ଆମରି ଗଡ଼ିଆବାଟେ ତା’ ଘରକୁ ଯାଉଛି । ତୁମେ ଖୁବ୍ ଚଞ୍ଚଳ ଆଗେଇଯାଇ ଗଡ଼ିଆକୂଳରେ ମଲାଙ୍କ ପରି ଶୋଇରହ । ମୁଁ ତୁମ ପିଠିରେ ବସି ଥଣ୍ଟରେ ହାଣିବି । ବାଣୁଆ ଦେଖିଲେ ତା’ ଜିଭରୁ ଲାଳ ବୋହିବ । ସେ ମୁଣାଟିକୁ କାନ୍ଧରୁ କାଢ଼ି ନିଶ୍ଚୟ ତଳେ ଥୋଇଦୋଇ ତୁମ ପାଖକୁ ଯିବ । ସେତିକିବେଳେ ମୂଷା ମଇତ୍ର ଚଟ୍‌ପଟ୍‌ କରି ମୁଣାଟାକୁ କାଟିଦେବେ । ତାହାହେଲେ କଁଇଛ ମଇତ୍ର ମୁଣାରୁ ବାହାରି ଗଡ଼ିଆକୁ ଚାଲିଯିବେ ।’’

 

ଅନ୍ୟ ଦୁଇ ବନ୍ଧୁ ଭାବିଲେ, ଏହାଠାରୁ ବଳି ଭଲ ଉପାୟ ଆଉ କିଛି ହୋଇନପାରେ । ତହୁଁ ହରିଣ ଯାଇ ଗଡ଼ିଆକୂଳରେ ମଲାପରି ପଡ଼ି ରହିଲା । କୁଆ ହରିଣ ଉପରେ ବସି ପିଠିକି ଥଣ୍ଟରେ ହାଣିଲା । ବାଣୁଆ ସେହି ବାଟ ଦେଇ ଯାଉ ଯାଉ ଏହା ଦେଖିଲା । ସେ ମନେକଲା, ହରିଣଟା ଜାଲ ଛିଣ୍ଡେଇ ପଳେଇ ଆସୁ ଆସୁ ସେଇଠି ପଡ଼ି ମରିଯାଇଛି ।
 

ବାଣୁଆ ଏହା ବିଚାରି କାନ୍ଧର ମୁଣାଟିକୁ ତଳେ ରଖିଦେଇ ହରିଣ ନିକଟକୁ ବାହାରିଲା-। ସେ ଯେମିତି ଯାଇଛି, ମୂଷା ଚୁପ୍‌କିନା ଯାଇ ସାଙ୍ଗେ ସାଙ୍ଗେ ମୁଣାକୁ ଦାନ୍ତରେ କାଟି ପକାଇଲା । କଇଁଛ ମୁଣାଭିତରୁ ବାହାରିପଡ଼ି ଆଖିପିଛୁଡ଼ାକେ ଗଡ଼ିଆଭିତରକୁ ପଶିଗଲା । ମୂଷା ତା’ ଦେଖିଲା କାମ କରିଦେଇ ଗାତରେ ଲୁଚିଗଲା । ତେଣେ କୁଆ ଉଡ଼ିଯାଇ ଗଛରେ ଉଠିଲା । ହରିଣ ଚିରା ମାରି କୁଆଡ଼େ ନାଇଁ କୁଆଡ଼େ ପଳାଇଲା ।

 

ଏହା ଦେଖି ବାଣୁଆ ବୋକା ପାଲଟିଗଲା । ଆଉ କ’ଣ କରିବ, ମୁଣା ପାଖକୁ ଆସିଲା-। ମୁଣାରେ ହାତ ମାରିବାମାତ୍ରେ ଦେଖିଲା, କଇଁଛ ତା’ ଭିତରୁ ଚାଲିଯାଇଛି । ଖାଲି ମୁଣାଟା କଟାହୋଇ ପଡ଼ିରହିଛି । ଏବେ ଅଥୁରି ବୁଡ଼ିଲା, ପଥୁରି ବୁଡ଼ିଲା । ବିଚରା ମୁଣ୍ଡ କାନ ଆଉଁଷି ନିଜ କପାଳକୁ ନିନ୍ଦି କାନ୍ଦିକାନ୍ଦି ଘରକୁ ଫେରିଗଲା ।

 

ବାଣୁଆ ଚାଲିଯିବାରୁ କୁଆ, କଇଁଛ, ମୂଷା, ହରିଣ ପୁଣି ଆସି ଏକାଠି ହେଲେ । ଚାରି ବନ୍ଧୁଯାକ ଏହିରୂପେ ନିଜ ନିଜ ମଧ୍ୟରେ ସାହାଯ୍ୟ କରି ଖୁବ୍ ଆନନ୍ଦରେ ରହିଲେ । କେହି ତାଙ୍କୁ ବିପଦରେ ପକାଇ ପାରିଲେ ନାହିଁ ।

Image

 

ଚୋର ଓ ଚଣ୍ଡାଳ

 

‘ଦ୍ରୋଣ’ ନାମରେ ଜଣେ ବ୍ରାହ୍ମଣ ଥିଲା । ତା’ର ଚୁଲିଚାଳରେ ବାସ ନ ଥାଏ । ତା’ପରି ଅରକ୍ଷିତ ଆଉ କେହି ଥିବ କି ନାହିଁ ସନ୍ଦେହ । ପତରର କୁଡ଼ିଆ ଖଣ୍ଡେ, ତାରି ଭିତରେ ମୁଣ୍ଡ ଗୁଞ୍ଜି ରହେ । ଖରାଦିନର ତାତି, ବର୍ଷାଦିନର ପାଣିପବନ, ଶୀତଦିନର ଜାଡ଼, ସବୁ ସହେ । ଭିକ ମାଗି ପେଟ ପୋଷେ । କେଉଁଦିନ ପୋଷେ ଚାଉଳ ମିଳିଲା ତ ଫୁଟେଇ ଖାଏ; କେଉଁ ଦିନ ଯେବେ କିଛି ନ ମିଳେ ପେଟରେ ଓଦାକନା ଦେଇ ଖାଡ଼ା ଖାଡ଼ା ଓପାସ ରହେ ।

 

ବ୍ରାହ୍ମଣର ଦୁନିଆରେ କେହିନଥିଲେ । ସେ ବାହାସାହା ହୋଇ ନାହିଁ, କି ତା’ର ପୁଅନାତି କିଛି ନାହିଁ । ତା’ ହୀନି ଅବସ୍ଥା ସବୁଆଡ଼େ ସମସ୍ତେ ଜାଣନ୍ତି । ଥରେ ଜଣେ ସଉଦାଗରର ବ୍ରାହ୍ମଣପ୍ରତି ଦୟା ହେଲା । ସେ ତାକୁ ହଳେ ବଳଦ ଦେଇ କହିଲା–

 

‘‘ବ୍ରାହ୍ମଣ ! କେତେଦିନ ଏହିପରି ଭିକମାଗି ଖାଉଥିବ ? ପଡ଼ନ୍ତ କାଳରେ ଯେତେବେଳେ ହାତଗୋଡ଼ ଚଳିବ ନାହିଁ, ସେତେବେଳେ କେଉଁଠୁ ଭିକପାଇବ ? ଏ ବଳଦ ହଳକ ନିଅ, ଖୋଇପେଇ ଏହାଙ୍କୁ ମୋଟମାଟ କର । ଆଉ କାହାଠୁ ମାଗିଯାଚି ଲଙ୍ଗଳ ସାଜେ ଆଣ । ଗାଆଁବାଲାଙ୍କ ଜମିରୁ କିଛି ଭାଗ ବଖରା ନେଇ କୋଠିଆ ଲଗାଇ ଚାଷ ଆରମ୍ଭ କର । ତାହାହେଲେ ତୁମ ଅବସ୍ଥା ବଦଳିଯିବ ।’’

 

ଦ୍ରୋଣ କଡ଼ କୃତ୍ୟକୃତ୍ୟ ହୋଇଗଲା । ସଉଦାଗରକୁ ବହୁତ କଲ୍ୟାଣ କରି ବଳଦଯୋଡ଼ିକ ଅଡ଼େଇ ଅଡ଼େଇ ଘରକୁ ଆଣିଲା । ସେଇ ଦିନୁଁ ସେ ସବୁବେଳେ ବଳଦଙ୍କ ପିଛା ଲାଗିରହିଲା । ଯେଉଁଠି ଯାହା ପାଇଲା, ସବୁତକ ବଳଦଙ୍କ ପେଟରେ ପକାଇଲା । ଘାସପଡ଼ିଆକୁ ନେଇ ନିତି ତାଙ୍କୁ ଚରେଇଲା । କେତେ ମାସ ଗଲାପରେ ହଳକଯାକ ବଳଦ ଭାରି ମୋଟା ଆଉ ତାଗଡ଼ା ହୋଇଗଲେ । ତାଙ୍କ ଦେହ ଏଡ଼େ ଚିକ୍‍କଣ ହୋଇଗଲା ଯେ, ମାଛି ବସିଲେ ବି ଖସିପଡ଼ିଲା-। ବ୍ରାହ୍ମଣର ଦାଣ୍ଡ ଦେଇ ଯେ ଗଲା, ସେ ଘଡ଼ିଏ ବଳଦଙ୍କୁ ଚାହିଁରହିଲା । ମୁଲକଯାକରେ ଏଭଳି ହଳେ ବଳଦ କାହାରି ନାହିଁ । ଯେ ଦେଖିଲା ତା’ର, ଲୋଭ ହେଲା ।

 

ଥରେ ଜଣେ ଚୋର ଲୋକଙ୍କ ମୁହଁରୁ ବଳଦଯୋଡ଼ିକର ପ୍ରଶଂସା ଶୁଣିଲା । ତହୁଁ ସେ ଦିନେ ରାତିରେ ବ୍ରାହ୍ମଣଘରକୁ ବାହାରିଲା । ତା’ ଗୁହାଳରୁ ହଳକଯାକ ବଳଦ ଫିଟେଇଆଣି ରାତିକାରାତ ପଳେଇଆସିବ ବୋଲି ଠିକ୍ କଲା ।

 

ଚୋର ଯାଇ ବ୍ରାହ୍ମଣର ଗାଆଁ ପାଖ ଧରିଗଲା । ସେଠି ରାକ୍ଷସ ଭଳିଆ ଗୋଠାଏ ଭୟଙ୍କର ଲୋକଙ୍କୁ ଦେଖି ସେ ଚମକିପଡ଼ିଲା । ଲୋକଟାର ମୁଣ୍ଡବାଳସବୁ ଭାରି ଟାଆଁସା, ଝିଙ୍କରକାଠି ପରି ଉପରକୁ ଠିଆ ହୋଇଛି । ଲମ୍ବା ଲମ୍ବା ଦାନ୍ତଗୁଡ଼ାକ ଦାନ୍ତିଆ ଭଳି ପଦାକୁ ବାହାରିଛି । ଗୋଡ଼ହାତର ନଖମାନ ଚାଖଣ୍ଡେ ଚାଖଣ୍ଡେ ବଢ଼ିଛି । ପ୍ରକାଣ୍ଡ ତା’ର ଗଣ୍ଡି । ତ୍ରିପଣ୍ଡ କାଳିଆ ରଙ୍ଗ ।

 

ଚୋରକୁ ଦେଖି ସେ ପଚାରିଲା–

‘‘ତୁମେ କିଏ ? ଏତେ ରାତିରେ କୁଆଡ଼େ ବାହାରିଛ ?’’

ଚୋର ଡରିଯାଇ ସତକଥା କହିପକାଇଲା ।

 

‘‘ମୁଁ ଜଣେ ନାମଜାଦା ଚୋର । ଦ୍ରୋଣ ବ୍ରାହ୍ମଣର ବଳଦହଳକ ଚୋରି କରିବାପାଇଁ ଆସିଛି । ତୁମେ କିଏ, କାହିଁକି ଏଠି ଏକୁଟିଆ ଠିଆ ହୋଇଛ, କହିବ କି ?’’

ଲୋକଟା ଟିକିଏ ହସି କହିଲା–

‘‘ମୁଁ ଜଣେ ଚଣ୍ଡାଳ । ମଣିଷ ମାରି ଖାଇବା ମୋର ହେଉଛି କାମ । ମୁଁ ବି ଯାଉଛି ସେଇ ବ୍ରାହ୍ମଣଘରକୁ । ତାକୁ ଆଜି ମାରିବି, ତାରି ମାଉଁସ ଖାଇ ପେଟ ଥଣ୍ଡା କରିବି । ଏକା ଜାଗାକୁ ତ ଯାଉଥାଇଁ, ତେବେ ଆସ ସାଙ୍ଗ ହୋଇ ଯିବା ।’’

Image

 

ଦୁହେଁଯାକ ସାଥୀହୋଇ ବ୍ରାହ୍ମଣଘରେ ପହଞ୍ଚିଲେ । ସେତେବେଳକୁ ରାତି ଦିପହର ଗଡ଼ିଗଲାଣି । ଗାଆଁଟାଯାକ ଶୂନ୍‍ଶାନ୍‍ । ସମସ୍ତେ ଘମାଘୋଟ ନିଦରେ ଶୋଇଥାନ୍ତି । ବ୍ରାହ୍ମଣ ବି ଶୋଇଯାଇଥାଏ । ଏଇ ଖଞ୍ଜ ଉଣ୍ଡି ଚଣ୍ଡାଳ ବ୍ରାହ୍ମଣକୁ ତଣ୍ଟି ଚିପି ମାରିଦେବାପାଇଁ ବାହାରିଲା । ଏହା ଦେଖି ଚୋର କହିଲା–

‘‘ଚଣ୍ଡାଳ ଭାଇ ! ତୁମେ ଟିକିଏ ରହିଯାଅ । ମୁଁ ବଳଦହଳକ ଆଗ ଫିଟାଇ ନେଇଯାଏଁ, ତା’ପରେ ତୁମେ ତୁମର କାମ କରିବ ।’’

ଏହା ଶୁଣି ଚଣ୍ଡାଳ କହିଲା–

‘‘ନା ଭାଇ, ତା’ ହୋଇପାରିବ ନାହିଁ । ତୁମେ ବଳଦ ଫିଟାଇବା ବେଳେ ନିଶ୍ଚୟ ଖୁଡ଼୍ ଖାଡ଼୍ ଶଦ୍ଦ ହେବ । ବଳଦ ବି ଛାଟିପିଟି ହେବେ । ସେଇ ଶଦ୍ଦରେ ଯେବେ ବ୍ରାହ୍ମଣର ନିଦ ଭାଙ୍ଗିଯାଏ, ତାହାହେଲେ ସବୁ ଭଣ୍ଡୁର ହୋଇଯିବ । ତୁମ କାମ ହୋଇପାରିବ ନାହିଁ, କି ମୋ କାମ ହୋଇପାରିବ ନାହିଁ । ମତେ ଏବେ ପ୍ରବଳ ଭୋକ, ବେଶୀ ବେଳ ସମ୍ଭାଳି ହୋଇ ରହିବା ମୋ ପକ୍ଷରେ ଅସମ୍ଭବ । ତେଣୁ ମୁଁ ପହିଲେ ବ୍ରାହ୍ମଣକୁ ମାରି ଖାଇଦିଏଁ, ତା’ପରେ ତୁମେ ନିଶ୍ଚିନ୍ତରେ ବଳଦ ଘେନି ଚାଲିଯିବ ।’’

ଚଣ୍ଡାଳ ତା’ ସୁବିଧା କରିବାକୁ ବସିଲାରୁ ଚୋର ବି ନିଜ ସୁବିଧା କରିବାକୁ ବାହାରିଲା । ସେ କହିଲା ।

‘‘ତୁମେ ବ୍ରାହ୍ମଣକୁ ମାରୁ ମାରୁ ସେ ଯଦି ନ ମଲା, ଓଲଟି ପାଟିକରି ଡାକ ପକାଇଲା, ତେବେ କଥାଟା ଏକାବେଳକେ ପ୍ରଘଟ ହୋଇଯିବ । ଗାଆଁଲୋକେ ଧାଇଁ ଆସିବେ । ଆମର କୌଣସି କାମ ହୋଇପାରିବ ନାହିଁ । ସେଥିପାଇଁ କହୁଛି, ତୁମେ ଟିକେ ଅପେକ୍ଷା କର । ମୁଁ ବଳଦ ଘେନି ପଳାଇଯାଏଁ । ତେଣିକି ତୁମେ ତୁମ କାମ କରୁଥା ।’’

ଏହିପରି ଦୁହିଙ୍କ ଭିତରେ କଥା କଟାକଟି ଚାଲିଲା । କେହି ପଛକୁ ରହିବାକୁ ରାଜି ହେଲା ନାହିଁ । ସେଦୁହେଁ ବହୁତ ବେଳଯାଏ ଭୁଟଭାଟ ହେଲାରୁ ସେହି ଶବ୍ଦରେ ବ୍ରାହ୍ମଣର ନିଦ ଭାଙ୍ଗିଗଲା । ସେ ଉଠି ବସି ଦେଖିଲା, ଅଗଣାରେ ଦୁଇଜଣ ଲୋକ ଠିଆହୋଇ କ’ଣ କଥାବାର୍ତ୍ତା ହେଉଛନ୍ତି । ବ୍ରାହ୍ମଣ ଉଠିବାର ଜାଣିପାରି ଚୋର ତାକୁ ଭଲେଇ ହୋଇ କହିଲା ।

‘‘ମଣିଷମାରୁ ଏ ଚଣ୍ଡାଳଟା ଏବେ

ପଶୁଥିଲା ତୁମ ଘରେ,

ମାରିଦେଇଥାନ୍ତା ତୁମକୁ ବ୍ରାହ୍ମଣ !

ତଣ୍ଟି ଚିପି ଦଣ୍ଡକରେ ।

ଜୀବନ ତୁମର ବଞ୍ଚାଇବା ଲାଗି

ଧାଇଁ ମୁଁ ଆସିଲି ଏଥେ,

ମରିଯାଇଥାନ୍ତ ନୋହିଲେଟି ଆଜି

ଏଇ ଚଣ୍ଡାଳର ହାତେ ।’’

 

ଚଣ୍ଡାଳ ଏବେ ଧରା ପଡ଼ିଗଲା । ଚୋରଉପରେ ତା’ର ଭାରି ରାଗ ହେଲା । ଗାଆଁଭିତର ନ ହୋଇ ଯଦି କୌଣସି ନିକାଞ୍ଚନ ଜାଗା ହୋଇଥାନ୍ତା, ତାହାହେଲେ ସେ ତାକୁ ଚିପି ତା’ ରକ୍ତକୁ ପଣା କରି ପିଇଦେଇଥାନ୍ତା । ଯାହା ହେଉ, ନିଜେ ଯେତେବେଳେ ଧରା ପଡ଼ିଲାଣି; ଚୋରକୁ ଧରା ନ ପକାଇ ଛାଡ଼ିବ କାହିଁକି ? ତେଣୁ ସେ ବ୍ରାହ୍ମଣକୁ କହିଲା ।

 

‘‘ସତ କଥା ଶୁଣ କହୁଛି ବ୍ରାହ୍ମଣ !

ପକ୍‌କା ଚୋର ଏଟା ଜାଣ,

ବଳଦ ତୁମର ଘେନିଯିବା ଲାଗି

କରୁଥିଲା ଆୟୋଜନ ।

ହାବୁଡ଼ିଗଲି ମୁଁ ଏଇବେଳେ ଆସି,

ଚୋର ହୋଇଗଲା ଥକା

ନୋହିଲେ କି କେବେ ପାଇଥାନ୍ତ ଆଉ

ବଳଦ ହଳଙ୍କ ଦେଖା ?’’

 

ବ୍ରାହ୍ମଣ ଏବେ ସବୁ କଥା ଠଉରେଇନେଇ ବଡ଼ ପାଟିରେ ଡାକ ପକାଇଲା । ଗାଆଁଲୋକେ ଠେଙ୍ଗାବାଡ଼ି ଧରି ଛୁଟିଅଇଲେ । ତାହା ଦେଖି ଚୋର ଓ ଚଣ୍ଡାଳ ଭୟରେ ଗାଆଁ ଛାଡ଼ି ପଳେଇଗଲେ ।

 

ଶତ୍ରୁମାନେ ନିଜ ନିଜ ଭିତରେ ଧରାପରା ହେଲେ ତାଙ୍କର କାମ ଏହିପରି ପଣ୍ଡ ହୋଇଯାଏ । ଫଳରେ ଅନ୍ୟମାନେ ତାହାଦ୍ୱାରା ସାବଧାନ ହୋଇଯାନ୍ତି ।

Image

 

ରଜାପୁଅ ପେଟରେ ସାପ

 

ଏକ ରାଜ୍ୟରେ ‘ଦେବଶକ୍ତି’ ନାମରେ ଜଣେ ରାଜା ଥିଲେ । ତାଙ୍କର ଗୋଟିଏ ବୋଲି ପୁଅ । ରାଜାଙ୍କ ଅନ୍ତେ ସେଇ ପୁଅଟି ରାଜ ଗାଦିରେ ବସିବାର କଥା । ମାତ୍ର ସବୁରି ଅଜାଣତରେ କେତେବେଳେ ସାପଟିଏ ଆସି ତା’ ପେଟଭିତରେ ପଶି ରହିଗଲା । ସେଥିପାଇଁ ଦିନକୁ ଦିନ ରଜାପୁଅ ଡାଙ୍ଗପରି ସରୁ ହୋଇଯିବାକୁ ଲାଗିଲା । ଗୋରା ତକତକ ବଳିଲା ପରି ଦେହ କୁଆଡ଼େ ଚାଲିଗଲା । ପୁଳେ ହେଲେ ମାଂସ ରହିଲା ନାହିଁ । ହାଡ଼ ଚାରିଖଣ୍ଡି ଉପରେ ଚମଡ଼ାଟା ଖାଲି ଲାଗିରହିଲା ।

 

ରଜାଘରେ ବା କ’ଣ ଅଭାବ ? ଦୁଧ-ଘିଅ, ମାଛ-ମାଉଁସ, ସର-ଲବଣୀ; ଯେତେ ସାର ଚିଜ, ରାଣୀ ପୁଅକୁ ସବୁ ଖୁଆଇଲେ । କିନ୍ତୁ ଟିକିଏ ହେଲେ ଦେହ ଲାଗିଲା ନାହିଁ । ରଜାପୁଅ ଯେତେ ଯାହା ଖାଏ, ପେଟଭିତରେ ସାପଟା ସେସବୁ ଖାଇଦିଏ । ଭଲ ଜିନିଷ ଖାଇ ଖାଇ ସାପ ମୋଟେଇଗଲା । ତେଣୁ ରଜା ପୁଅର ପେଟଟି ବୁଜୁଳାପରି ବାହାରିପଡ଼ିଲା ।

 

ରାଜ୍ୟଯାକର ଯେତେ ବଇଦ, କବିରାଜ, ସମସ୍ତେ ଆସି ରଜାପୁଅକୁ ଚିକିତ୍ସା କଲେ । କେତେ ଔଷଧ ଦେଲେ । ସେଥିରେ କିଛି ହେଲା ନାହିଁ । ଗୁଣିଆମାନଙ୍କୁ ଡକାଗଲା । ସେମାନେ ବହୁତ ଗୁଣିଗାରଡ଼ି କଲେ, ଝଡ଼ାଫୁଙ୍କା କଲେ, ତଥାପି କିଛି ଫଳ ନାହିଁ । ଶେଷକୁ ବାବାଜିମାନଙ୍କଠାରୁ ହୁକୁମ ଔଷଧ ଦିଆଗଲା । ତେବେ ବି ଯେଉଁ କଥାକୁ ସେଇ କଥା । ରୋଗଟା କ’ଣ, କେହି ମୋଟେ ଧରିପାରିଲେ ନାହିଁ । ସାପ ଯେ ପେଟଭିତରେ ରହି ଏତେ କାଣ୍ଡ କରୁଛି, ତାହା ବା କିଏ କିପରି ଜାଣିବ ?

 

ଶେଷକୁ ସମସ୍ତେ ଆଶା ଛାଡ଼ି ବସିଲେ । ରଜାପୁଅ ଏହା ଦେଖି ବଡ଼ ହତାଶ ହୋଇପଡ଼ିଲା । ଦିନେ କାହାକୁ ନ କହି ନଅର ଛାଡ଼ି ଚାଲିଗଲା । ନିଜ ରାଜ୍ୟ ପାରି ହୋଇ ସେ ବହୁତ ଦୂର ଦେଶରେ ଯାଇ ବୁଲିଲା । ଖାଲି ଗୋଡ଼, ସାମନ୍ୟ ଭିକାରିର ବେଶ, ଦେହରେ ଖଣ୍ଡିଏ ମାତ୍ର ଲୁଗା । ରଜାପୁଅ ବୋଲି ସେ ମୋଟେ କାହାରିକି ଚିହ୍ନା ଦିଏ ନାହିଁ । ଯେଉଁଠିକି ଯାଏ, ଠାକୁର ଦେଉଳରେ ରହେ । ପାଦୁକ, ବେଲପତ୍ର ସେବା କରେ । ରୋଗ ଭଲ କରିଦେବାପାଇଁ ଦେବତାଙ୍କୁ ଗୁହାରି କରେ ।

 

ନାନା ସ୍ଥାନ ବୁଲି ବୁଲି ରଜାପୁଅ ଯାଇ ଆଉ ଗୋଟିଏ ନଗରରେ ପହଞ୍ଚିଲା । ସେଠାରେ ଜଣେ ରଜା ଥାଆନ୍ତି, ତାଙ୍କ ନାଁ ‘ବଳୀ’ । ତାଙ୍କର ଥିଲେ ଦୁଇ ଝିଅ । ସକାଳୁ ଉଠି ଦୁଇ ଭଉଣୀ ନିତି ରାଜାଙ୍କ ପାଖକୁ ଜୁହାର ହେବାକୁ ଯାଆନ୍ତି । ବଡ଼ ଭଉଣୀଟି ଜୁହାର ହେଲାବେଳେ କହେ–

 

‘‘ମହାରାଜ ! ତୁମର ଜୟ ହେଉ । ତୁମ ଦୟାରୁ ରାଜ୍ୟର ସବୁଠାରେ ମଙ୍ଗଳ ପୂରିରହିଛି ।’’

 

ସାନ ଭଉଣୀଟି ଜୁହାର ହେବାକୁ ଯାଇ କହେ–

‘‘ମହାରାଜ ! ଭଗବାନ ତୁମକୁ ତୁମର କର୍ମଫଳ ଦିଅନ୍ତୁ ।’’

 

ବଡ଼ ଝିଅ କଥାରେ ରାଜା ଖୁବ୍ ଖୁସି ହୁଅନ୍ତି; ମାତ୍ର ସାନ ଝିଅ ଯାହା କହେ ତାକୁ ଅଡ଼ୁଆ ବୁଝି ମନେ ମନେ ଭାରି ଚିଡ଼ନ୍ତି । ସବୁ ଦିନେ ତା’ ମୁହଁରୁ ଏ କଥା ଶୁଣି ଶୁଣି ଶେଷକୁ ରଜା ଆଉ ସହିପାରିଲେ ନାହିଁ । ଦିନେ ସକାଳେ ସାନଝିଅ ପାଆଲାଗି ହୋଇ ଯେମିତି ସେଇ କଥାଟି କହିଦେଇଛି, ରଜା ରାଗରେ ଅସମ୍ଭାଳ ହୋଇଉଠିଲେ । ସାଙ୍ଗେ ସାଙ୍ଗେ ମନ୍ତ୍ରୀଙ୍କୁ ଡକାଇ ଆଜ୍ଞା ଦେଲେ :

 

‘‘ଖରଖରୀ ଏଇ ଝିଅଟା

ବଡ଼ ମହଁଖୋରଣୀ,

ଖଣ୍ଡାଦାଢ଼ ପରି କଥାରେ

ମନ ଦିଏ ମୋ ହାଣି ।

ନେଇଯାଅ ମନ୍ତ୍ରୀ ! ଏହାକୁ

ନେଇଯାଅ ତୁରନ୍ତେ,

ଦେଇଦିଅ ଏକ ଗରିବ

ମାଗିଖିଆର ହାତେ ।

ଭୋଗୁ କର୍ମଫଳ ନିଜର

ସେଇ ଭିକାରି ତୁଲେ,

ଚାହିଁବି ନାହିଁ ମୁଁ ଆଜିଠୁ

ମୁହଁ ଏହାର ଠୁଳେ ।’’

 

ଆଜ୍ଞାପ୍ରମାଣେ ରଜାଝିଅକୁ ନେଇ ମନ୍ତ୍ରୀ ସେଠାରୁ ଚାଲିଗଲେ । ରଜାପୁଅ ସେତେବେଳେ ଛିଣ୍ଡାକତରା ଲୁଗା ପିନ୍ଧି ଗୋଟିଏ ମନ୍ଦିରରେ ବସିଥିଲା । ତାହାକୁ ନିହାତି ଦରିଦ୍ର ମାଗିଖିଆ ଭିକାରି ବୋଲି ଭାବି ମନ୍ତ୍ରୀ ତାହାରି ସହିତ ରଜାଝିଅକୁ ବିଭା କରାଇଦେଇ ଚାଲିଆସିଲେ ।

 

ସ୍ୱାମୀ ରୋଗା ଆଉ ଭିକାରି ହେଲେହେଁ ରଜାଝିଅର ମନରେ ମୋଟେ ଦୁଃଖ ଆସିଲା ନାହିଁ । ଭିକାରି ସ୍ୱାମୀକୁ ନେଇ ସେ ମଧ୍ୟ ଭିକାରୁଣୀ ହୋଇ ବୁଲିଲା । କିଛି ଦିନପରେ ସେ ଦୁହେଁ ଯାଇ ଆଉ ଏକ ରାଜ୍ୟରେ ପହଞ୍ଚିଲେ । ବାଟରେ ଗୋଟିଏ ପୋଖରୀ ପଡ଼ିଲା । ସ୍ୱାମୀକୁ ତାହାରି ହୁଡ଼ାତଳେ ବସାଇଦେଇ ରଜାଝିଅ ପାଖ ଗାଆଁକୁ ଡାଲି-ଚାଉଳ, ତେଲ ଲୁଣ ଯୋଗାଡ଼ କରିବାକୁ ଗଲା ।

 

ଘଡ଼ିକପରେ ଜିନିଷପତ୍ର ନେଇ ରଜାଝିଅ ଫେରିଲା । ସେତେବେଳକୁ ରଜାପୁଅ ଗାଢ଼ ନିଦରେ ଶୋଇପଡ଼ିଥାଏ । ରଜାଝିଅ ଦୂରରୁ ଥାଇ ଦେଖିଲା, ସ୍ୱାମୀର ପାଟିଭିତରୁ ଗୋଟାଏ ସାପ ଅଧା ବାହାରି ଫଣା ତୋଳି ପବନ ପିଉଛି । ପୋଖରୀହୁଡ଼ା ସାମନାରେ ଥିବା ଗୋଟାଏ ଗାତରେ ମଧ୍ୟ ଆଉ ଏକ ସାପ ସେହିପରି ଫଣା ତୋଳି ରହିଛି । ସେ ଦୁଇ ସାପଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ । ରଜାଝିଅ ଏ ଆଚମ୍ବିତ ଘଟନା ଦେଖି ଗଛ ଆଢ଼ୁଆଳରେ ଥାଇ ତାଙ୍କ କଥାବାର୍ତ୍ତା ଶୁଣିଲା । ଗାତର ସାପ ପାଟିର ସାପକୁ ନିନ୍ଦାକରି କହୁଛି ।

 

Image

 

‘‘କେଡ଼େ ସୁନ୍ଦର ସେ ରଜାପୁଅ ରୂପ

ପୂନିଅଁ ଚାନ୍ଦ,

ପେଟେ ରହି କରୁ ନାରଖାର ତାକୁ

ଏଡ଼େ ତୁ ମନ୍ଦ !’’

 

ଏହା ଶୁଣି ପାଟିର ସାପ ଗାତସାପକୁ ଦୋଷ ଦେଇ କହୁଛି–

 

‘‘ତୁ କି ଭଲ ? ପରା ମୋ’ଠାରୁ ତୋ କାମ ବେଶୀ ନାକରା !

ଗାତେ ରହି କରୁ ସୁନାକଳସକୁ ମାଟି ଖପରା !’’

ଗାତ ସାପ ତୁନି ନ ହୋଇ ପୁଣି କହୁଛି–

‘‘ଉଗୁରି ତୋହର ଦଣ୍ଡକଭିତରେ ଯିବରେ ଭାଜି,

ପେଇଦେବ ଯେବେ ରଜାପୁଏ କେହି ପୁରୁଣା କାଞ୍ଜି ।

ଛଟପଟ ହୋଇ ମରିଯିବୁ ତୁହି ପଚିବୁ ପେଟେ,

ରଜାପୁଅ-ରୂପ ଚହଟିବ; ହସ ଫୁଟିବ ଓଠେ ।’’

 

ପାଟିସାପ ବି ଛାଡ଼ିଲା ନାହିଁ ନିଜ ଭେଦଟି ପଦାରେ ପଡ଼ିଯିବାରୁ ସେ ଗାତସାପକୁ ତା’ ଭେଦ କଥାଟି କହୁଛି ।

 

‘‘ଦେଖାନାରେ ଆଉ ବଡ଼େଇ ଚାତର

ମୋ ପାଖେ ଏତେ,

ମରିବୁ କ୍ଷଣକେ ତାତିଲା ତେଲ କେ

ଢାଳିଲେ ଗାତେ ।

ଚାହୁଁ ଚାହୁଁ ପୁଣି ମାଟିର କଳସ

ହୋଇବ ସୁନା,

ଭାବିଛୁ କି ମତେ ମରଣ ବାଟ ତୋ

ନୁହଇ ଜଣା ?’’

 

ଏତିକିରେ ସାପ ଦୁହିଁଙ୍କର ଗୋହି ତଡ଼ାତଡ଼ି ବନ୍ଦ ହୋଇଗଲା । ରଜାଝିଅ ଏବେ ଗଛ ଉଢ଼ାଳରୁ ବାହାରି ଆସିଲା । ତାକୁ ଦେଖି ପେଟ ସାପ ପେଟକୁ ଚାଲିଗଲା । ଗାତ ସାପ ଗାତରେ ପଶିଗଲା ।

 

ରଜାଝିଅ ପୁଣି ଗାଆଁ ଗଣ୍ଡାକୁ ଗଲା । ଘରୁ କିଛି ପୁରୁଣା କାଞ୍ଜିପାଣି ଆଣି ସ୍ୱାମୀକୁ ପିଆଇଦେଲା । ସାପଟା ପେଟଭିତରେ ମରିଯିବାରୁ ରଜାପୁଅର ଦେହ ଭଲ ହୋଇଗଲା । ତା’ର ପୂର୍ବ ଚେହେରା ଚାଲିଆସିଲା । ତା’ପରେ ରଜାଝିଅ ସାପଙ୍କ କଥାବାର୍ତ୍ତା ବିଷୟ ସ୍ୱାମୀକୁ କହିଲା । ତାହା ଶୁଣି ରଜାପୁଅ ମାଠିଆଏ ଗରମ ତେଲ ଆଣି ସେହି ଗାତରେ ଢାଳିଦେବାରୁ ସାଙ୍ଗେ ସାଙ୍ଗେ ସାପଟା ମରିଗଲା । ମାଟି କଳସଟି ବି ସୁନା ପାଲଟିଗଲା । ରଜାପୁଅ ସେହି ସୁନାକଳସଟି ଘେନି ରଜାଝିଅ ସହିତ ନିଜ ରାଜ୍ୟକୁ ବାହୁଡ଼ିଲା ।

 

ପୁଅ ବୋହୂଙ୍କୁ ଦେଖି ରଜାରାଣୀଙ୍କ ମନ ଆନନ୍ଦରେ ନାଚିଉଠିଲା । ରାଜ୍ୟସାରା କେତେ ଉତ୍ସବ ହେଲା । ରଜା କିଛିଦିନପରେ ପୁଅହାତରେ ରାଜ୍ୟଭାର ସମର୍ପିଦେଇ ନିଶ୍ଚିନ୍ତରେ କାଳ କଟାଇଲେ ।

Image

 

ନେଳିଆ ରଜା

 

ଶିଆଳଟିଏ । ବଣରାଇଜରେ ତା’ର ଘର । ଦିନଯାକ ଗାତରେ ଶୁଏ, ରାତି ହେଲେ ବଣରେ ଆହାର ଖୋଜି ବୁଲେ । ଦିନେ ଅଧରାତିଯାଏ କୌଣସି ଆହାର ଜୁଟିଲା ନାହିଁ । ଶିଆଳ ବଡ଼ ଭାଳେଣିରେ ପଡ଼ିଲା ।

 

ଏତେବେଳଯାଏ ଆଶା ନ ମେଣ୍ଟିବାରୁ ସେ ବଣ ଛାଡ଼ି ଗାଆଁଗଣ୍ଡାକୁ ଗଲା । କେତେ ଲୋକଙ୍କ ବାଡ଼ିରେ ପଶିଲା, କେତେଠେଇଁ ମୁହଁ ମାରିଲା; ମାତ୍ର କେଉଁଠି ହେଲେ ଖାଇବା ଜିନିଷର ଗନ୍ଧ ପାଇଲା ନାହିଁ । ଯାଇ ଯାଇ ଏକ ଧୋବାଘରେ ପହଞ୍ଚିଲା । ଧୋବଣୀ ଶୋଇବା ପୂର୍ବରୁ ଦାଣ୍ଡକବାଟ ବନ୍ଦ କରିବାକୁ ଭୁଲିଯାଇଥିଲା । ଶିଆଳ ଦେଖିଲା, ଦରଜା ଠିଆମେଲା । କଇଁଫୁଲ ପରି ଜହ୍ନ ପଡ଼ିଥାଏ । ମନଖୁସିରେ ସେ ଘର ଭିତରକୁ ପଶିଗଲା ।

 

ଧୋବା; ଧୋବଣୀ, ତା’ ପିଲାଛୁଆ, ସମସ୍ତେ ନିଦରେ ଶୋଇପଡ଼ିଥାନ୍ତି । କାହାରି ସ୍ୱରଶବ୍ଦ ନାହିଁ । ଶିଆଳ ଏଣେତେଣେ ଆଖି ବୁଲାଉ ବୁଲାଉ ଦେଖିଲା, ଅଗଣାର ସେପଟେ ଗୁଡ଼ାଏ ପିତଳ ହଣ୍ଡା ଥୁଆହୋଇଛି । ଶିଆଳ ମନେ ମନେ ଭାବିଲା, ହଣ୍ଡାଭିତରେ ନିଶ୍ଚୟ ଖାଇବା ଚିଜସବୁ ରଖାହୋଇଥିବ ।

 

ଏହା ଭାବି ସେ ସେହି ହଣ୍ଡାମାନଙ୍କ ପାଖକୁ ଆସ୍ତେ ଆସ୍ତେ ଗଲା । ସେଗୁଡ଼ାକ ଭାରି ବଡ଼ ଆଉ ଉଚ୍ଚା । ଶିଆଳ ପଛଗୋଡ଼ରେ ଠିଆହୋଇ ଆଗଗୋଡ଼କୁ ଗୋଟିଏ ହଣ୍ଡାଦେହରେ ଭରା ଦେଲା । ତା’ପରେ ଉପରକୁ ଉହୁଙ୍କି ବହୁତ କଷ୍ଟରେ ହଣ୍ଡାର ଫନ୍ଦକୁ ଆଗଗୋଡ଼ରେ ଧଇଲା-। ଏଣେ ଖାଇବ ବୋଲି ମନ ଉଚ୍ଛନ ହେଉଥାଏ । ତେଣେ ଧୋବା କାଳେ ଉଠିପଡ଼ିବ, ସେଥିପାଇଁ ଡର । ସେ ବଡ଼ ତରବରରେ ମୁହଁକୁ ନୁଆଁଇ ହାଣ୍ଡି ଭିତରେ କ’ଣ ଅଛି ଦେଖିବାକୁ ବସିଲା । ଭାଗ୍ୟ ତ ଖରାପ, ହଠାତ୍‌ ଆଗଗୋଡ଼ ଦୁଇଟା ଫନ୍ଦରୁ ଛାଡ଼ିଗଲା । ବିଚରା ତଳମୁଣ୍ଡ ଉପରଗୋଡ଼ ହୋଇ ହଣ୍ଡା ଭିତରେ ପଡ଼ିଗଲା ।

 

ଶିଆଳ ଚିତ୍‌କାତ୍‌ ହୋଇ ହଣ୍ଡାରେ ପଡ଼ି ଦେଖିଲାବେଳକୁ ସେଠି ଖାଇବା-ଜିନିଷ କିଛି ନାହିଁ । ତା’ ବଦଳରେ ଅଛି ନେଳି ରଙ୍ଗର ବହେ ପାଣି । ସେଇ ନେଳି ପାଣିରେ ସେ ଗୋଟିପଣେ ଜୁଡ଼ୁ ବୁଡ଼ୁ ହୋଇଗଲା । ଉପରକୁ ଉଠିବାପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟାକଲା; କିନ୍ତୁ ଉଠିପାରିଲା ନାହିଁ-। ଏହା ଦେଖି ତା’ର ହଲକ ଶୁଖିଗଲା । ଏଣେ ଥଣ୍ଡାରେ ତା’ ଦେହ କୋଲ ମାରିଯିବାକୁ ବସିଲା । ଉପାୟ ନପାଇ ଶିଆଳ ସେଇ ରଙ୍ଗପାଣି ଭିତରେ ରାତିଯାକ ଶୀତରେ ଥୁରୁଥୁରୁ ହୋଇ ପଡ଼ିରହିଲା ।

 

ଝଟଝଟିଆ ହେଲା, କୁକୁଡ଼ାମାନେ ଡାକ ଛାଡ଼ିଲେ ‘କକ୍‌କ-କ’ । ଶିଆଳ ଏବେ ଭୟରେ ଥରିବାକୁ ଲାଗିଲା । ଘରମାଲିକ ଆସି ଦେଖିଲେ ସାଙ୍ଗେ ସାଙ୍ଗେ ବାଡ଼େଇ ମାରିପକାଇବ । ଏହା ଭାବି ସେ ଏକ ଫିକର କଲା । ମଲାପରି ବେଲିକରି ପେଟ ଫୁଲାଇ ପାଣିରେ ଭାସିରହିଲା ।

 

ଧୋବା ଭୋରରୁ ଉଠି ଦେଖେ ତ, ଶିଆଳଟାଏ ହଣ୍ଡାଭିତରେ ପଡ଼ି ମରିଯାଇଛି । ସେ ତାକୁ ହଣ୍ଡାରୁ କାଢ଼ିଆଣି ରାସ୍ତାକଡ଼କୁ ଫିଙ୍ଗିଦେଇ ନିଜ କାମରେ ବାହାରିଗଲା ।

 

ଧୋବା ଯେମିତି ଚାଲିଯାଇଛି, ଶିଆଳ ଲାଙ୍ଗୁଳ ଟେକି ମାରିଲା ଦୌଡ଼ । ଏକା ନିଶ୍ୱାସକେ ବଣରେ ଯାଇ ହାଜର ହୋଇଗଲା । ସେତେବେଳକୁ ସୂର୍ଯ୍ୟକିରଣ ଚାରିଆଡ଼େ ପଡ଼ିଯାଇଥାଏ । ଗୋଟିଏ ଜାଗାରେ ବସି ଶିଆଳ ଆପଣାକୁ ଚାହିଁ ଆଶ୍ଚର୍ଯ୍ୟ ହୋଇଗଲା । ଓଃ, ଏ କ’ଣ ! ଗୋଡ଼, ଲାଙ୍ଗୁଡ଼, ପେଟ, ସବୁଆଡ଼ ଯେ ଗାଢ଼ା ନେଳି ପାଲଟିଯାଇଛି । ଆଲୁଅ ପଡ଼ି ସାରା ଦେହଟା ଚିକ୍‌ ଚିକ୍‌ ଦିଶୁଛି । ପ୍ରକୃତରେ ସେ ନିଜେ ନିଜକୁ ଚିହ୍ନିପାରିଲା ନାହିଁ । ଭାରି ଖୁସି ହୋଇ ଭାବିଲା–ଭଲ ହୋଇଛି, ଜଙ୍ଗଲର ପଶୁମାନଙ୍କୁ ଠକିବାପାଇଁ ଏବେ ବାଟ ଫିଟିଗଲା ।

 

Image

 

ଶିଆଳ ଗୋଟିଏ ବଡ଼ ପଥର ମୁଣ୍ଡିଆ ଉପରେ ଯାଇ ବସିଲା । ସେ ବାଟଦେଇ ଯେତେପଶୁ ଗଲେ, ତାକୁ ଦେଖି ସମସ୍ତେ ଡରି ପଳାଇଗଲେ । ନେଳିଆ ରଙ୍ଗର ଏଭଳି ନୂଆ ଜନ୍ତୁ କେହି ତ କେବେ ଦେଖିନଥିଲା, ଡର ମାଡ଼ିବ ନାହିଁ କିପରି ? ଏବେ ଶିଆଳ ବଡ଼ ପାଟିରେ ପଶୁମାନଙ୍କୁ ଡାକି କହିଲା–

 

‘‘ଦୂରେ ନ ପଳାଅ ପଶୁଏ !

ଆସ କତିକି ମୋର,

ଶତ୍ରୁ ମୁଁ ନୁହଇ ତୁମର,

ଏତେ କାହିଁକି ଡର ?

ପେଷିଛନ୍ତି ବଣଦେବତା

ମତେ ଏଠାକୁ ନିଜେ,

ଆସିଛି ମୁଁ ତାଙ୍କ ଆଦେଶେ

ଆଜି ତୁମ ରାଇଜେ ।

ହେବି ମୁହିଁ ଏହି ବଣର

ସବୁ ପଶୁଙ୍କ ରଜା,

ନ ରହିବ ଦୁଃଖ କାହାରି

ହେଲେ ମୋର ପରଜା ।’’

 

ଶିଆଳ-କଥାରେ ପଶୁମାନେ ଭୁଲିଗଲେ । ବାର୍ହାଠୁ ବାଘ ପର୍ଯ୍ୟନ୍ତ, ହରିଣଠୁ ହାତୀ ପର୍ଯ୍ୟନ୍ତ, ଶଶାଠୁ ସିଂହ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ସେଇ ନୂଆ ଜନ୍ତୁଟିକି ରାଜଗାଦିରେ ବସେଇଲେ । ବେଙ୍ଗୁଲିଏ ହୁଳହୁଳି ଦେଲେ । ଗଧମାନେ ଶଙ୍ଖ ଫୁଙ୍କିଲେ । ଭାଲୁମାନେ ଝାଞ୍ଜ ବଜେଇଲେ । ଠେକୁଆମାନେ ଢୋଲ ପିଟିଲେ । ହାତୀମାନେ ଶୁଣ୍ଢରେ ପାଣି ଆଣି ନୂଆ ରଜାଉପରେ ସିଞ୍ଚିଲେ । ସିଂହମାନେ ଚାମର ଢାଳିଲେ । ବାଘବାଘୁଣୀଏ ରଜାଙ୍କ ମୁଣ୍ଡଉପରେ ପତରର ଛତ୍ରୀ ଟେକିଧଇଲେ ।

 

ନେଳିଆ ଶିଆଳ ରଜା ବାଘକୁ ମନ୍ତ୍ରୀ କଲା । ହାତୀକୁ ଦରୁଆନ କଲା । ସିଂହକୁ କଟୁଆଳ କଲା । ଆଉ ମିରିଗ, ଠେକୁଆ, ଓଧ, ଏମାନେ ଚାକର ବାକର ହୋଇ ରଜାଙ୍କୁ ସେବା କଲେ ।

 

ରଜା ହେବାମାତ୍ରେ ଶିଆଳ ସବା ପହିଲେ ତା’ ଜାତିଭାଇ ସବୁ ଶିଆଳଙ୍କୁ ରାତିକ ଭିତରେ ବଣ ଛାଡ଼ି ପଳେଇଯିବାକୁ ହୁକୁମ ଦେଲା । ବାଘ ମନ୍ତ୍ରୀକି ଡାକିକରି କହିଲା, ଯେପରି କାଲି ସକାଳକୁ ଗୋଟାଏ ହେଲେ ଶିଆଳ ଏ ବଣରେ ନ ଥିବ ।

 

ନୂଆ ରଜାଙ୍କ କଡ଼ା ହୁକୁମରେ ଶିଆଳମାନେ ସେଠାରୁ ତଡ଼ାଖାଇ ରାତିକାରାତ ଆଉ ଗୋଟିଏ ବଣକୁ ଚାଲିଗଲେ । ସେଠି ରହି ଦିନେ ସଭା କଲେ । ସେମାନଙ୍କ ଭିତରେ ବିଚାର ପଡ଼ିଲା–ନେଳିଆ ରଜା ଗାଦିରେ ବସୁ ବସୁ କେବଳ ଶିଆଳମାନଙ୍କୁ କାହିଁକି ତଡ଼ିଦେଲା ? ଶିଆଳ ଜାତିଉପରେ ତା’ର ଏତେ ଅହନ୍ତା କାହିଁକି ! ଜଣାଯାଉଛି, ଏଥିରେ ନିଶ୍ଚୟ କିଛି କଥା ଅଛି । କେହି କେହି ସନ୍ଦେହ କଲେ–ରଜାଟା ଶିଆଳ ନୁହେଁ ତ ? ଆମେ ଥିଲେ କାଳେ ସେ ଧରାପଡ଼ିଯିବ, ଏଇ ଡରରେ ଆମ ଜାତିକି ନିକାଲିଦେଇ ନାହିଁ ତ ? ବିନା ଦୋଷରେ ସେ ଯେତେବେଳେ ଦଣ୍ଡ ଦେଇଛି, ତାକୁ ନିଶ୍ଚୟ ଶାସ୍ତି ଦେବାକୁ ପଡ଼ିବ ।

 

ଏହିପରି ବିଚାରି ସବୁଯାକ ଶିଆଳ ଏକଜୁଟ ହୋଇ ଦିନେ ନେଳିଆ ରଜାର ବଣରେ ପହଞ୍ଚିଲେ । ଦୂରରୁ ଥାଇ ଦେଖିଲେ, ନେଳିଆ ରଜା ଗୋଟାଏ ଉଚ୍ଚା ଚଟାଣ ଉପରେ ଗାଦିରେ ବସିଛି । ବାଘ, ସିଂହ, ହାତୀ, ଚିତା, ଭାଲୁ, ହରିଣ, ସମ୍ବର ଏହିପରି କେତେ ପଶୁ ତା’ ଚାରିପାଖେ ଘେରି ରହିଛନ୍ତି । ଦରବାର ଚାଲିଛି । ଜଣ ଜଣ ହୋଇ ପଶୁମାନେ ବଣରାଇଜର ହାଲଚାଲ ଜଣାଉଛନ୍ତି । ରଜା ମୁଣ୍ଡ ଟୁଙ୍ଗାରି ସବୁ ଶୁଣୁଛି ।

 

ଏଇ ସମୟରେ ସବୁ ଶିଆଳ ଯାକ ଏକାଠି ଗଳା ମିଶେଇ ଖୁବ୍‌ ଜୋରରେ ବୋବେଇ ଉଠିଲେ–‘‘ହୁକକେ-ହୋ-ହୁକକେ ହୋ ।’’

 

ବଣଦାଢ଼ରୁ ଏହି ସ୍ୱର ଛୁଟିଆସି ଶିଆଳ ରଜାର କାନରେ ପଶିଗଲା । ପ୍ରକୃତି କେହି କ’ଣ ଛାଡ଼ିଲାଣି ? ଆଜିପର୍ଯ୍ୟନ୍ତ ସେ ବହୁତ ସାବଧାନ ହୋଇ ପାଟି ଚାପି ରହିଥିଲା । ଏବେ ଯେମିତି ‘‘ହୁକକେ-ହୋ’’ ଶୁଣି ଦେଇଛି, ତା’ର ପୂର୍ବ ଖୋଇ ମନେପଡ଼ିଗଲା । ଦରବାର କଥା ପାସୋରିପକେଇ ସେ ସାଙ୍ଗେ ସାଙ୍ଗେ ଡାକ ଛାଡ଼ିଲା ।

 

‘‘ହୁକକେ-ହୋ–ହୁକକେ-ହୋ ।’’

ସଭାରେ ଯେତେ ଜନ୍ତୁ ଥିଲେ ସମସ୍ତେ ପାଟିକରିଉଠିଲେ ।

‘‘ଆରେ ଭାଇ, ଏଇଟା ରଜା ନୁହେଁରେ–ଶିଆଳଟାଏ !

ଏତେଦିନ ଆମକୁ ଠକି ଆମ ଉପରେ ରଜା ବୋଲେଇଥିଲା ।’’

 

ନେଳିଆ ଶିଆଳ ତ ପଶୁଙ୍କ ଘେରଭିତରେ ବସିଥାଏ; ପଳାଇଯିବାକୁ ବାଟ କାହିଁ ? ସିଂହ କେଶର ଫୁଲାଇ ଫୁଲିଉଠିଲା, ବାଘ ରାଗିଯାଇ ଦାନ୍ତ କଡ଼ମଡ଼ କଲା, ହାତୀ ଶୁଣ୍ଢ ଟେକି ଗର୍ଜିଉଠିଲା । ସମସ୍ତେ ଶିଆଳ ଉପରକୁ ଏକା ସଙ୍ଗେ କୁଦିପଡ଼ିଲେ । ଚାହୁଁ ଚାହୁଁ ଶିଆଳ ଦଳିମକଚି ହୋଇଯାଇ ସେଇଠି ଧୂଳିରେ ମିଶିଗଲା ।

 

ଏହିରୂପେ ନେଳିଆ ରଜା ସମସ୍ତଙ୍କୁ ଠକିବାର ପ୍ରତିଫଳ ହାତେ ହାତେ ପାଇଲା । ଏବେ ଶିଆଳସବୁ ପଟୁଆର କରି ନିର୍ଭୟରେ ବଣଭିତରକୁ ଧାଇଁଆସିଲେ । ମହା ଖୁସିରେ ଡାକ ଛାଡ଼ିଲେ : ‘‘ହୁକକେ-ହୋ–ହୁକକେ-ହୋ ।’’

Image

 

କୁସଙ୍ଗର ଫଳ

 

ଗୋଟିଏ ସୁନ୍ଦର ପୋଖରୀ । ତା’ର ନିର୍ମଳ ନେଳିଆ ପାଣିରେ ଶହ ଶହ ପଦ୍ମଫୁଳ ଫୁଟି ଶୋଭା ପାଉଥାଏ । ସେହି ପୋଖରୀର ଗୋଟିଏ କୂଳରେ ଏକ ପ୍ରକାଣ୍ଡ ବରଗଛ କେଉଁ କାଳରୁ ଠିଆ ହୋଇଥାଏ । ଗଛଟି ଗହଳ ପତ୍ରରେ ଭାଗହୋଇ ଏଡ଼େ ଝଙ୍କା ହୋଇଥାଏ ଯେ, ତାକୁ ଦେଖିଲେ ଗୋଟାଏ ମସ୍ତବଡ଼ ଛତାପରି ମନେ ହୁଏ ।

ବରପତ୍ରମାନ ଅତି ବହଳ । ସୂର୍ଯ୍ୟକିରଣ ସହଜରେ ତାକୁ ଭେଦିପାରେ ନାହିଁ । ତେଣୁ ବରଗଛର ତଳଟି ଭାରି ଥଣ୍ଡା ହୋଇଥାଏ । ଖରାଦିନେ ବାଟୋଇମାନେ ସେହି ଗଛର ଶୀତଳ ଛାଇତଳେ କିଛି ସମୟ ବସି ଆସକତ ମେଣ୍ଟାନ୍ତି । ଗୋରୁଗାଈ ମଧ୍ୟ ଅନେକ ସମୟରେ ଚରା ଖାଇସାରି ସେହି ଗଛତଳକୁ ଆସନ୍ତି; ତା’ ଛାଇରେ ଶୋଇରହି ପାକୁଳି କରନ୍ତି ।

ସେହି ଝଙ୍କାଳିଆ ବଡ଼ ବରଗଛଟିର ଗହଳିଆ ଦେହରେ ଗୋଟିଏ କୁଆ ଓ ଗୋଟିଏ ହଂସ ଏକାଠି ସାଙ୍ଗ ହୋଇ ରହିଥାନ୍ତି । କୁଆଟିର ରଙ୍ଗ ରନ୍ଧାହାଣ୍ଡିଠାରୁ ଆହୁରି କଳା; ମାତ୍ର ହଂସଟିର ରଙ୍ଗ କଞ୍ଚାଦୁଧଠାରୁ ଆହୁରି ଧଳା । କୁଆଟି ମଢ଼ଦେହର ମାଂସଖାଏ, କିନ୍ତୁ ହଂସଟି ପଦ୍ମନାଡ଼ର ରସ ପିଏ । ଦୁହିଙ୍କ ରଙ୍ଗ ଓ ଖିଆପିଆରେ ଏତେ ଅମେଳ ଥିଲେ ମଧ୍ୟ ଦୁହିଙ୍କ ଭିତରେ ଖୁବ୍‌ ମନମେଳ ଥାଏ । ଅନେକ ଦିନଯାଏ ଉଭୟେ ସେହି ବରଗଛ ଉପରେ ସୁଖରେ ରହିଲେ ।

ଦିନକର କଥା । ଉଦୁଉଦିଆ ଦିପହର ବେଳ । ସୁର୍ଯ୍ୟ ଆକାଶମଝିରେ ଥାଇ ନିଆଁ ଗୁଣ୍ଡା ପରି ତାଙ୍କର ତାତିଲା କିରଣକୁ ପୃଥିବୀ ଉପରକୁ ଚାଇଁ ଚାଇଁ ମାରିଦେଉଥାନ୍ତି । ସେହି ପ୍ରଚଣ୍ଡ ଖରାତାତିରେ କି ଗଛଲତା, କି ପଶୁପକ୍ଷୀ, କି ମଣିଷ, ସବୁରି ଦେହ ସିଝିଗଲାପରି ଲାଗୁଥାଏ । ଏହି ସମୟରେ ଜଣେ ଦୂର ବାଟୋଇ ସେହି ନିଛାଟିଆ ବାଟ ଦେଇ ଯାଉଥିଲା । ସେତେବେଳକୁ ସେ ଚାଲି ଚାଲି ଥକିପଡ଼ିଥାଏ । ତା’ର ଗୋଡ଼ ହାତ ହାଲିଆ ହୋଇଯାଇଥାଏ । ଆଗକୁ ଚାଲିବାକୁ ଆଉ ବଳ ପାଉନଥାଏ । ଦୈବଯୋଗକୁ ବରଗଛଟି ପଡ଼ିବାରୁ ତା’ ମନରେ ଦମ୍ଭ ଆସିଲା । ସେ ଗଛତଳଛାଇକୁ ଆସିଲା ଏବଂ ନିଜର ବୁଜୁଳାଟିକୁ ତକିଆ ପରି ମୁଣ୍ଡତଳେ ଦେଇ ଆରାମରେ ଗୋଡ଼ହାତ ଲମ୍ବେଇ ଭୂଇଁରେ ଶୋଇଗଲା ।

ଗଛତଳଟି ବେଶ୍‌ ଥଣ୍ଡା ହୋଇଥାଏ । ସୁଲୁ ସୁଲିଆ ପବନ ମଝିରେ ମଝିରେ ଦେହରେ ଆସି ବାଜିବାରୁ କିଛି ସମୟପରେ ବାଟୋଇର ଆଖିକୁ ନିଦ ଆସିଗଲା । ତା’ର ସମସ୍ତ ବାଟଚଲା କଷ୍ଟ ଟିକକ ମଧ୍ୟରେ କୁଆଡ଼େ ଚାଲିଗଲା । ଅଚେତ ପରି ତଳେ ଶୋଇରହିବାରୁ ତା’ର କୌଣସି ଅଙ୍ଗ ଆଉ ହଲଚଲ ହେଲାନାହିଁ । ଚାହୁଁ ଚାହୁଁ ସେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କଲା । ତା’ ମୁହଁରୁ ଲାଳ ବହିବାକୁ ଲାଗିଲା ଏବଂ ନାକରୁ ଘଡ଼ଘଡ଼ ଶବ୍ଦ ବାହାରିଲା ।

ହଂସ ସେତେବେଳେ ବରଗଛଉପରେ ବସିଥିଲା । ତଳୁ ଗୋଟାଏ କ’ଣ ଶବ୍ଦ ଆସୁଥିବାର ବାରିପାରି ସେ ଭୂଇଁ ଉପରକୁ ଆଖିପକାଇଲା । ଦେଖିଲା, ବାଟୋଇଟିଏ ଗଛ ଛାଇରେ ଶୋଇଛି । ଗଛଡାଳର ଫାଙ୍କ ଦେଇ ଖରା ଆସି ତା’ ମୁହଁରେ ପଡ଼ିଛି । ହଂସର ସ୍ୱଭାବ ବଡ଼ ଭଲ । ପରର ଉପକାର କରିବାକୁ ତାକୁ ସୁଖ ଲାଗେ । ବାଟୋଇ-ମୁହଁରେ ଖରା ପଡ଼ିଥିବାର ଦେଖି ତା’ ମନରେ ଦୟା ଆସିଲା । ସେ କହିଲା–

‘‘କେତେ ବାଟ ଚାଲି ଚାଲି

ଆସିଛି ବାଟୋଇ,

ଥକିବାରୁ ପାଦ ତାର

ଅଛି ଏଠି ଶୋଇ ।

ସାରା ମୁହେଁ ପଡ଼ିଛି ତା

ଆହା କେଡ଼େ ଖରା,

ସେଇ ଧାସେ ନିଦ ତାର

ଭାଙ୍ଗିଯିବ ପରା !

ଆସିଛି ସେ କେତେ ଦୂରୁ,

ଯିବ ଦୂରେ କାହିଁ,

ନିଶ୍ଚୟ ମୁହଁଟି ତାର

କରିବି ମୁଁ ଛାଇ ।’’

 

ଏହା ଭାବି ହଂସ ନିଜ ବସିବା ଡାଳରୁ ସାଙ୍ଗେ ସାଙ୍ଗେ ଉଡ଼ିଗଲା । ଯେଉଁ ଡାଳର ଫାଙ୍କ ଦେଇ ଖରାଧାସ ଆସୁଥିଲା, ସେଇଠି ଯାଇ ବସିଲା । ତା’ପରେ ନିଜର ଦୁଇ ଡେଣାକୁ ଏପରିଭାବରେ ମେଲାଇଦେଲା ଯେ, ଖରା ଆସୁଥିବା ଫାଙ୍କଟି ଏକାବେଳେକେ ଘୋଡ଼େଇ ହୋଇପଡ଼ିଲା । ଯେତେ ଖରା ସେହି ଫାଙ୍କ ବାଟେ ଆସୁଥିଲା, ସବୁତକ ତାରି ଡେଣାଉପରେ ପଡ଼ିଲା । ସେ ଖରାକଷ୍ଟ ସହିଲା ସତ, ମାତ୍ର ତା’ଦ୍ୱାରା ବାଟୋଇର ମୁହଁଟି ପୂରା ଛାଇ ହୋଇଗଲା-। ବାଟୋଇ ସୁଖରେ ଆଉ କିଛି ସମୟ ଶୋଇରହିଲା ।

 

ହଂସର ସ୍ୱଭାବ ଯେତିକି ଭଲ, କୁଆର ସ୍ୱଭାବ ସେତିକି ଖଳ । ଅନ୍ୟର କ୍ଷତି କଲେ ତା’ ମନରେ ଭାରି ଆନନ୍ଦ ଆସେ । ତେଣୁ ହଂସର କାର୍ଯ୍ୟ ତାକୁ ମୋଟେ ଭଲ ଲାଗିଲା ନାହିଁ । ସାଙ୍ଗେ ସାଙ୍ଗେ ତା’ ମୁଣ୍ଡରେ ଗୋଟାଏ ଦୁଷ୍ଟ ବୁଦ୍ଧି ଖେଳିଗଲା । ସେ କ’ଣ କଲାନା, ଉପର ଡାଳରେ ବସି ଏପରିଭାବରେ ହଗିଦେଲା ଯେ, ସେହି ମଳ ଆସି ଠିକ୍‌ ବାଟୋଇର ମୁହଁଉପରେ ପଡ଼ିଲା । ଏଥିରେ ଭାରି ଖୁସି ହୋଇଯାଇ ସେ ଡେଣା ଫଡ଼ଫଡ଼ କରି ସେଠାରୁ ଅନ୍ୟ ଗୋଟିଏ ଗଛକୁ ଉଡ଼ିପଳେଇଲା ।

 

Image

 

 

କୁଆର ବିଷ୍ଠା ଲାଥକିନା ମୁହଁରେ ଯେମିତି ପଡ଼ିଛି, ସାଙ୍ଗେ ସାଙ୍ଗେ ବିଚରା ବାଟୋଇଟିର ନିଦ ଭାଙ୍ଗିଗଲା । ସେ ଧଡ଼୍‍କିନା ଉଠିପଡ଼ି ବସିଲା । ରାଗରେ ଗରଗର ହୋଇ ମୁଣ୍ଡ ଉପରକୁ ଚାହିଁଦେଲାବେଳକୁ ଦେଖିଲା, ହଂସଟାଏ ଡେଣା ମେଲାଇ ବସିଛି । ପ୍ରକୃତ ଘଟନା କ’ଣ, ସେ ବା ଜାଣନ୍ତା କିପରି ? ଦୁଷ୍ଟ କୁଆ ଯେ ଏତେ କାଣ୍ଡ କରିଛି, ତାହା କିଏ ବା ତାକୁ କହିବ ? ତେଣୁ ବାଟୋଇ ଭାବିଲା, ସେହି ହଂସ ଛଡ଼ା ଆଉ କେହି ତା’ ମୁହଁରେ ବିଷ୍ଠା ଛାଡ଼ି ନାହିଁ ।

 

ସାଙ୍ଗେ ସାଙ୍ଗେ ସେ ହଂସକୁ ଶାସ୍ତି ଦେବାକୁ ବାହାରିପଡ଼ିଲା । ତା’ ପାଖରେ ଧନୁଶର ଥିଲା । ସେ ସେହି ଧନୁଧରି ଏପରି ଜୋରରେ ଶରଟାଏ ମାଇଁଲା ଯେ, ଦଣ୍ଡକମଧ୍ୟରେ ତାହା ଯାଇ ହଂସଦେହରେ ଗଳିଗଲା । ନିର୍ଦ୍ଦୋଷ ହଂସଟି ଆଖିମିଟିକାକେ ପ୍ରାଣ ହରାଇ ଭୂଇଁ ଉପରକୁ ଟଳିପଡ଼ିଲା ।

 

ଦୋଷ କଲା କୁଆ ଦଣ୍ଡ ପାଇଲା ହଂସ । ଦୁଷ୍ଟ କୁଆ ସହିତ ସାଙ୍ଗ ହୋଇ ହଂସ ଯଦି ଏକାଠି ନ ରହିଥାନ୍ତା, ତାହାହେଲେ ତା’ର ଏପରି ଦଶା କେବେହେଲେ ଘଟିନଥାନ୍ତା । ଏଥିପାଇଁ ଜାଣିବା ଶୁଣିବା ଲୋକେ କହନ୍ତି–

 

ଦୁର୍ଜନ ସଙ୍ଗେ କଲେ ବାସ

ନିଶ୍ଚେ ଘଟଇ ସର୍ବନାଶ ।

Image

 

ଗଛଡାଳରେ ଢୋଲ

 

ବଣଭିତରେ କେତେ ବୁଦା, କେତେ ଲଟି । ଚାରିଆଡ଼େ ଛୋଟ-ବଡ଼ ଅସୁମାରି ଗଛ । ମଝିରେ ମଝିରେ ପୁଳାଏ ପୁଳାଏ ଜାଗା ଫାଙ୍କା ଥାଏ । ସେଠି ଲମ୍ବା ଲମ୍ବା ଘାସ ବଢ଼ି ଭୂଇଁଟାକୁ ସବୁଜ କରିଦେଇଥାଏ । ଏହିପରି ଗୋଟିଏ ବଣରେ ବହୁତ ଜୀବଜନ୍ତୁ ବାସକରି ରହିଥାନ୍ତି । ସେଇସବୁ ବୁଦା ଲଟି ହେଉଛି ସେମାନଙ୍କର ଘର । ତାହାରି ମଧ୍ୟରେ ସେମାନେ ଶୁଅନ୍ତି, ଗଡ଼ନ୍ତି, ଖେଳନ୍ତି ।

 

ବିଲୁଆଟିଏ ସେହି ବଣର ଗୋଟିଏ ବୁଦାଭିତରେ ଗାତକରି ରହିଥାଏ । ପଶୁମାନେ ଏକାଠି ବସି ସୁଖଦୁଃଖ ହେଲାବେଳେ ବିଲୁଆ ତା’ ଗାତରୁ ବାହାରି ଆସେ । ପଶୁଙ୍କ ଭିତରେ ପଶି ମଝିରେ ଯାଇ ବସିପଡ଼େ । ଖୁବ୍‌ ପୁରୁଣା ଜାଣିଲାବାଲା ପରି ଲମ୍ବା ଚଉଡ଼ା ବକ୍ତୃତାମାନ ଝାଡ଼େ । ବେଳେବେଳେ ଆକାଶରୁ ତୋଳିଆଣିଲା ଭଳି ବନେଇଚୂନେଇ କଥାସବୁ କହେ । କେଉଁ ଦିନ ସେ ମହାବଳ ବାଘକୁ ବାନ୍ଧିପକେଇଥିଲା, ଜହ୍ନକୁ ଶୂନ୍ୟରୁ ଖସେଇଆଣି ପୋଖରୀ ଭିତରେ ଅଟକେଇ ରଖିଥିଲା, ସାପକୁ ହୁଙ୍କା ଭିତରୁ ଟାଣିଆଣି ତା’ ଜିଭକୁ କାଟି ଦିଫାଳ କରିଦେଇଥିଲା, ଏମିତିକା କେତେ ଗାଲୁଗପ ଗଡ଼ଗଡ଼ କରି ଗପିଯାଏ । ପଶୁଏ ସବୁ ଶୁଣନ୍ତି । କିଏ ହସି ହସି ଗଡ଼ିଯାଏ, କିଏ ବା କାବାହୋଇ ତା’ ମୁହଁକୁ ଚାହିଁରହେ । ଆଉ କେହି କେହି ତା’ର ଏସବୁ ମିଛ କଥା ଶୁଣି ତାକୁ ଗାଲୁଆ, ବାହାପିଆ ବୋଲି ଗାଳିଦିଅନ୍ତି ।

 

ପଶୁଙ୍କ ମେଳରେ ଥାଇ କଥା କହୁଥିଲାବେଳେ ବିଲୁଆର ପାଟିରେ ବାଟୁଳି ବାଜେ ନାହିଁ, ତା’ ଜିଭରେ ସତେ ଯେମିତି ବିଜୁଳି ଖେଳିଯାଏ । ମାତ୍ର ସେ ଯେତେବେଳେ ଏକୁଟିଆ ଥାଏ, ଦୁନିଆଯାକର ଡର ତାକୁ ମାଡ଼ିବସେ । ତା’ ମୁହଁ ବାଲିଙ୍ଗି କୁଆଡ଼େ ଚାଲିଯାଏ । ପତରଟାଏ ଖଡ଼୍‍କିନା ହେଲେ ତା’ ଛାତିରୁ ଧଡ଼୍‍କିନା ଅତଡ଼ା ଖସିପଡ଼େ । ସେ ସାଙ୍ଗେ ସାଙ୍ଗେ ଲାଙ୍ଗୁଡ଼ ଜାକି ଗାତଭିତରକୁ ପଶିଯାଇ କେତେବେଳଯାଏ ଲୁଚିରହେ । ସାଙ୍ଗସାଥୀ ଅନ୍ୟ ପଶୁମାନେ ଆସି ଡାକିଲେ ଯାଇ ତା’ ଭୟ ଭାଙ୍ଗେ । ଆଗ ଭଲକରି ସେ ସେମାନଙ୍କ ସ୍ୱର ବାରେ, ତେବେ ଯାଇ ଗାତରୁ ବାହାରେ । ତାହା ଦେଖି ସାଙ୍ଗ ପଶୁଏ ତାକୁ ଛାଉଳେଇ କହନ୍ତି ‘‘ହଇରେ, ତୁ ଏଡ଼େ ଡରୁଆଟା !’’

 

ପଶୁମାନେ ବସାଛାଡ଼ି କେତେ ଦୂରକୁ ଯାଇ ଆହାର ଖୋଜନ୍ତି; ମାତ୍ର ବିଲୁଆ ତା’ ବସା ଆଖପାଖ ଜାଗା ଛଡ଼ା ମୋଟେ ଦୂରକୁ ଯାଏ ନାହିଁ । ତାକୁ ଭାରି ଡରମାଡ଼େ । ଦିନେ ସେ କୌଣସି ଆହାର ଯୋଗାଡ଼ କରିପାରିଲା ନାହିଁ । ଭୋକରେ ତା’ର କରଡ଼ି ଜଳିଲା । ପେଟ ଯାଇ ପିଠିରେ ଲାଗିଲା । ନିହାତି ହାଲିଆ ହୋଇ ସେ ପଡ଼ିଗଲା । ତା’ ରହିବା ବୁଦା ସେପାଖରେ ଗୋଟିଏ ମାଈ ଠେକୁଆ ଗାତକରି ରହିଥିଲା । କୁଆଡ଼ୁ କିଛି ନ ପାଇ ବିଲୁଆ ତାରି ବସାକୁ ଯାଇ କହିଲା–

 

‘‘ଅକାଳେ ଆସିଲି ଭଉଣୀ !

କିଛି ଭାବିବୁ ନାହିଁ,

କି ରଖିଛୁ ଘରେ ଦେଏ ଲୋ

ମତେ ଖାଇବାପାଇଁ ।

ନ ଜୁଟିଲା ଦାନା କେଉଁଠି

ବଣେ ବୁଲିଲି ଯେତେ,

କାହା ମୁହଁ ଆଜି ସକାଳୁ

ଚାହିଁଥିଲି ମୁଁ ସତେ ।’’

 

ବିଲୁଆ-କଥାରୁ ଠେକୁଆଣି ସବୁ ଠଉରେଇନେଲା । ସେ ଜାଣିଲା-ଭୟରେ ବିଲୁଆ କୁଆଡ଼େ ଯାଇ ନାହିଁ, ଭୋକ ବାଧିବାରୁ ତା’ ପାଖକୁ ମାଗିଖାଇବା ଲାଗି ଆସିଛି । ମନରୁ ଡର ଯିବାଯାଏ ବିଲୁଆ ଏହିପରି ଖାଇବାକୁ ହଇରାଣ ହେଉଥିବ । ଆଜି ସିନା ଖାଇବାକୁ ଦେଇଦେବ, କାଲି ତ ପୁଣି ସେଇକଥା ଘଟିବ ! ତେଣୁ ସେ ବିଲୁଆର ଭୟ ଛଡ଼ାଇବାପାଇଁ ତାକୁ କହିଲା–

 

‘‘ଦିନେ କାଳେ ନାହିଁ କାହିଁକି

ଆଜି ଆସିଲ ଭଲା !

କିଛି ନାହିଁ ! ଘରେ, ମୁଣ୍ଡ ମୋ

ସିନା ତଳକୁ ହେଲା ।

ମୁହଁ ହରେଇଲ ବୃଥାରେ,

ଆସା ହେଲା ବିଫଳ,

ଭୋକେ ମୁଁ ପଡ଼ିଛି କାଲିଠୁ,

ଦେହେ ନାହିଁ ମୋ ବଳ ।

ଗୋଡ଼ି କାଢ଼ି ଯାଅ ଦୂରକୁ

ପେଟ ପୂରାଇ ଖାଇ

ଆଣିବ ମୋ ଲାଗି ତହିଁରୁ

ଯାହା ପାଇବ ଭାଇ !

 

ବିଲୁଆ ନିରାଶ ହୋଇ ଆଗକୁ ଗଲା । ବାଟରେ ମିରିଗର ବସା ପଡ଼ିବାରୁ ତାକୁ ଯାଇ ଖାଇବାକୁ ମାଗିଲା । ମିରିଗ ତ ତା’ ଡରକୁଳା ଢଙ୍ଗ ଜାଣେ; ତେଣୁ ସେ ଭଲେଇ ହୋଇ କହିଲା–

 

‘‘ଟିକିଏ ଆଗରୁ ଆସିଲୁ ନାହିଁ ଭାଇ ! ଯାହାଥିଲା ଏଇଲାଗେ ତ ସବୁ ଖାଇଦେଲି ! ଆଉ କ’ଣ ଅଛି ଯେ ତତେ ଦେବି ? ଆଚ୍ଛା, ତୁ ଗୋଟିଏ କଥା କର । ଥୋଡ଼ାଏ ବାଟ ଚାଲିଯା, କିଛି ନା କିଛି ନିଶ୍ଚୟ ପାଇବୁ ।’’

 

ବେଳକୁ ବେଳ ବିଲୁଆର ଭୋକ ବଢ଼ିଲା । ସେ ଖଣ୍ଡେବାଟ ଆଗକୁ ଯାଇଛି କି ନାହିଁ, ହଠାତ୍ ଗୋଟାଏ କ’ଣ ଶବ୍ଦ ଶୁଭିଲା । ସେ ଭାବିଲା, ନିଶ୍ଚୟ ଗୋଟାଏ ବଡ଼ ଜନ୍ତୁ ପାଖରେ କେଉଁଠି ଛକିକରି ବସିଛି, ତାକୁ ଦେଖିବା ମାତ୍ରେ ମାଡ଼ିବସିବ । ବିଲୁଆର ତ ପିଳେଇ ପାଣି ! ସାଙ୍ଗେ ସାଙ୍ଗେ ଲାଞ୍ଜକୁ ଦୁଇ ଗୋଡ଼ ସନ୍ଧିରେ ଜାକି ପଛକୁ ମାଇଲା ଦୌଡ଼ !

 

ବିଲୁଆକୁ ଏପରି ଛିନିକାନିଆ ହୋଇ ପଳେଇଯିବାର ଦେଖି ଗୋଟାଏ ମାଙ୍କଡ଼ ଗଛ-ଉହାଡ଼ରୁ ଧାଇଁଆସି ତା’ ବାଟ ଓଗାଳିଲା । ତାକୁ କହିଲା–

 

‘‘ବିଲୁଆ ଭାଇ ରେ

ବିଲୁଆ ଭାଇ !

ଲାଞ୍ଜ ଜାକି କିଆଁ

ଯାଉ ପଳାଇ ?

ଛାର ଶବଦକୁ

ଡରୁଛୁ ଏତେ !

ଛି-ଛି, ତୁ ଏଡ଼ିକି

ଛେରୁଆ ସତେ !

ଫେରିଯା, ଦେଖିବୁ

ଶବଦଥାନ,

ପାଇବୁ ଖାଇବା–

ଦରବମାନ ।’’

 

ବିଲୁଆକୁ ବଡ଼ ଲାଜମାଡ଼ିଲା । ମାଙ୍କଡ଼କୁ ଆଉ ଲୁଚାଇବ କ’ଣ ? ସେ ନିଶ୍ଚୟ ସବୁକଥା ଆଗରୁ ଜାଣିସାରିଛି । ତା’ ନୋହିଥିଲେ ଖାଇବାକୁ ମିଳିବ ବୋଲି କହନ୍ତା କିପରି ? ବିଲୁଆ କିଛି କହିଲା ନାହିଁ । ମାଙ୍କଡ଼ର କଥାରେ ବିଶ୍ୱାସ କରି ସାହସ ବାନ୍ଧି ପୁଣି ଆଗକୁ ଚାଲିଲା । ତା’ ଭାଗ୍ୟକୁ ସତେ ଯେବେ ଆହାର କିଛି ମିଳିବ, ତାହା ଖାଇ ସେ ଭୋକ କଷ୍ଟ ମେଣ୍ଟାଇବ ।

 

ଅଳ୍ପ କିଛି ବାଟ ଗଲାପରେ ବିଲୁଆ ନୂଆ କଥାଟାଏ ଦେଖିଲା । ଗୋଟିଏ ଗଛର ନୁଆଁଣିଆ ଡାଳରେ ଢୋଲଟିଏ ଝୁଲୁଛି । ବିଲୁଆ ସେଇ ଗଛମୂଳକୁ ଗଲା । ଉପରକୁ ମୁହଁ ଟେକି ଚାହିଁଲା । ସେତିକିବେଳେ ପବନ ହେବାରୁ ଢୋଲଟା ଡାଳରେ କେତେଥର ପିଟିହେଲା । ସେଥିଯୋଗୁ ଢୋଲରୁ ଶବ୍ଦ ବାହାରିଲା । ବିଲୁଆ ଏବେ ଜାଣିଲା, କିଛି ସମୟ ପୂର୍ବେ ଯେଉଁ ଶବ୍ଦ ସେ ଶୁଣିଥିଲା, ତାହା ଏଇ ଢୋଲର ଶବ୍ଦ ।

 

ବିଲୁଆ-ମନରୁ ଏବେ ଭୟ ତୁଟିଗଲା । ସାଙ୍ଗେ ସାଙ୍ଗେ ମାଙ୍କଡ଼-କଥା ତା’ର ମନେପଡ଼ିଗଲା । ବିଲୁଆ ଭାବିଲା ।

 

‘‘ମାଙ୍କଡ଼ କହିଥିଲା, ଯେଉଁଥାନରୁ ଶବ୍ଦ ଆସୁଛି ସେଠିକି ଗଲେ ଖାଇବା-ଜିନିଷ ମିଳିବ-। ତାହାହେଲେ ନିଶ୍ଚୟ ଏଇ ଢୋଲ ଭିତରେ ମୋର ଆହାର ଭର୍ତ୍ତି ହୋଇରହିଛି । ଆହା, ଯେଉଁ ଢୋଲରୁ ଏଡ଼େ ମଧୁର ଶବ୍ଦ ବାହାରୁଛି, ତା’ ଭିତରେ ଥିବା ଖାଇବା-ଚିଜ କେଡ଼େ ମିଠା ହୋଇନଥିବ ଟି !’’

 

Image

 

ଏଇ କଥା ଭାବିଦେଲାବେଳକୁ ତା’ ପାଟିରୁ ଲାଳ ଗଡ଼ିପଡ଼ିଲା । ଲୋଭରେ ବାଇ ହୋଇ ସେ ଉପରକୁ କୁଦା ମାଇଲା । ତା’ ଦେହ ବାଜି ଢୋଲଟା ତଳକୁ ଖସିପଡ଼ିଲା । ସାଙ୍ଗେ ସାଙ୍ଗେ ଢୋଲଉପର ଚମଡ଼ାକୁ ଦାନ୍ତରେ କାମୁଡ଼ି ଛିଣ୍ଡେଇଦେଲା । ତା’ ଭିତରେ ଯେଉଁ ଖାଇବା-ଜିନିଷ ଅଛି, ତାକୁ ପେଟଭରି ଖାଇବ ବୋଲି ସେ ଆଗରୁ କେତେ ଖୁସି ହେଉଥିଲା । ମାତ୍ର ଦେଖିଲାବେଳକୁ ଭିତରଟା ଖାଲି ଫମ୍ପା, କିଛି ବୋଇଲେ କିଛି ନାହିଁ । ବିଲୁଆର ମନ ଦି’ଖଣ୍ଡ ହୋଇଗଲା ।

 

ଠିକ୍ ସେହି ସମୟରେ ଗଛଉପରେ କିଏ ଗୋଟାଏ ଖେଁ-ଖେଁ ହୋଇ ପାଟିକଲା । ବିଲୁଆର ତ ଏଥି ପୂର୍ବରୁ ଡର ଭାଙ୍ଗିଯାଇଛି । ସେ ଛାନିଆ ହୋଇ ନ ଯାଇ ଉପରକୁ ଚାହିଁଦେଲା ବେଳକୁ ଦେଖିଲା, ସେଇ ମାଙ୍କଡ଼ ଏଥିଭିତରେ କେତେବେଳେ ଆସି ଗଛଡାଳରେ ବସିଛି । ବିଲୁଆକୁ ଚାହିଁ ସେ ବଡ଼ପାଟିରେ ହସିଉଠିଲା । ତାକୁ ଡାକି କହିଲା–

 

‘‘ଭାଙ୍ଗିବାକୁ ଭାଇ !

ତୋ ମନୁ ଡର

ଟାଙ୍ଗିଥିଲି ଢୋଲ

କରି ଫିକର ।

କାମ ଏବେ ମୋର

ହୋଇଛି ଶେଷ,

କେତେ ତୁ ଖାଇବୁ

ମୋ ସାଙ୍ଗେ ଆସ ।’’

 

ବିଲୁଆକୁ ଭୋକରେ ସେତେବେଳକୁ ଝୋଲା ମାରିଗଲାଣି । ମାଙ୍କଡ଼ ଯେମିତି ଡାକିଛି, ସେ ସାଙ୍ଗେ ତା’ ପଛରେ ଗୋଡ଼େଇଲା । ମାଙ୍କଡ଼ ଘରେ ପହଞ୍ଚି ବହୁତ ପ୍ରକାର ଖାଇବାଜିନିଷ ଆଣି ବାଢ଼ିଦେଲା । ବିଲୁଆ ତଣ୍ଟିପର୍ଯ୍ୟନ୍ତ ଏତେ ଖାଇଦେଲା ଯେ, ଟୋପେ ପାଣି ପିଇବାକୁ ବି ତା’ ପେଟରେ ଆଉ ଥାନ ରହିଲା ନାହିଁ ।

Image